ଗୁଣପୁର, (୨୯/୦୯) : ଆପ୍ର : ବିଶ୍ୱ ଜଳାତଙ୍କ ଦିବସ ଅବସରରେ ଗୁଣପୁର ବ୍ଲକର ୧୦ ଗୋଟି ଉଚ୍ଚ ବିଦ୍ୟାଳୟରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଗୁଣପୁର,ରାୟଗଡ଼ଙ୍କ ଦ୍ୱାରା ଜଳାତଙ୍କ ରୋଗ ସମ୍ବନ୍ଧରେ ଏକ ଘଣ୍ଟାର ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଯାଇଛି ।
ଏହି ସଚେତନତା କାର୍ଯ୍ୟକ୍ରମରେ ରେବିଜ୍ ରୋଗର ବିଭିନ୍ନ ଦିଗ, ରୋଗର ଲକ୍ଷଣ, ପ୍ରତିଷେଧମୂଳକ ବ୍ୟବସ୍ଥା, କୁକୁର କାମୁଡ଼ା ପରେ ନେବାକୁ ଥିବା ଉପଯୁକ୍ତ ପଦକ୍ଷେପ ତଥା ପ୍ରାଣୀ ମାନଙ୍କର ଟିକା କରଣ,କୁକୁର କାମୁଡ଼ାରୁ ନିଜକୁ ଏବଂ ପୋଷା କୁକୁରଙ୍କୁ ସୁରକ୍ଷିତ ରଖିବା ସମ୍ପର୍କରେ ସଚେତନତା ପ୍ରଦାନ କରାଯାଇଥିଲା । ଏଥିରେ ଛାତ୍ରଛାତ୍ରୀ ଓ ଶିକ୍ଷକ/ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ । ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ରାଧେଶ୍ୟାମ ଦାଶ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ସରକାରୀ ଉଚ୍ଚ ବିଦ୍ୟାଳୟ, ବିକ୍ରମପୁର , ଓଡିଶା ଆଦର୍ଶ ବିଦ୍ୟାଳୟ ଠାରେ ରିସୋର୍ସ ପର୍ସନ ହିସାବରେ ଯୋଗ ଦେଇଥିଲେ ।
ପ୍ରାଣୀ ଚିକିତ୍ସକ ଡ଼ଃ ବିଷ୍ଣୁ ଚରଣ ଶବର ବିଦ୍ୟାନିକେତନ ପବ୍ଲିକ ସ୍କୁଲ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କିଡ୍ସ ଗୀ ପବ୍ଲିକ ସ୍କୁଲ ଠାରେ ରିସୋର୍ସ ପର୍ସନ ହିସାବରେ ଯୋଗ ଦେଇଥିଲେ । ପ୍ରାଣୀ ଚିକିତ୍ସକ ଡ଼ଃ ସିଦ୍ଧାର୍ଥ ଶଙ୍କର ସାବତ ସରକାରୀ ଉଚ୍ଚ ବିଦ୍ୟାଳୟ, ଗୁଣପୁର,ସହିଦ ଲକ୍ଷ୍ମଣ ନାୟକ ସ୍ମାରକୀ ଉଚ୍ଚ ବିଦ୍ୟାଳୟ, ମରାଠୀଗୁଡ଼ା,ଜଗନ୍ନାଥ ପବ୍ଲିକ୍ ସ୍କୁଲ୍ ଠାରେ ରିସୋର୍ସ ପର୍ସନ ହିସାବରେ ଯୋଗ ଦେଇଥିଲେ ।
ସଚେତନତା କାର୍ଯ୍ୟକ୍ରମର ଏକ ଅଂଶ ଭାବେ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ମିଠା ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଗୁଣପୁରର କର୍ମଚାରୀ, ବିଦ୍ୟାଳୟର ଅଧ୍ୟକ୍ଷ,ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗଦାନ ଏବଂ ସହଯୋଗ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । “ଆମ ସମସ୍ତଙ୍କ ଏକଜୁଟ ଏବଂ ଦୃଢ଼ ମିଳିତ ପ୍ରୟାସ ରେବିଜ୍ ରୋଗର ନିରାକରଣ ସମ୍ଭବ” ଯାହା ବିଶ୍ୱ ଜଳାତଙ୍କ ଦିବସ ୨୦୨୬ ର ବାର୍ତ୍ତା ପ୍ରଦାନ କରେ ।

