ଭଦ୍ରକ, (୧୩/୧୧) : ଆପ୍ର : ଦ୍ରୁତଗତିରେ ମାଡ଼ି ଆସିଲା ଲୌହ ଦାନବ । ନେଇଗଲା ଜୀବନ । ଲୁହା ପ୍ଲେଟ୍ ବୋଝେଇ ଟ୍ରକ୍ ସହ ପୋଲିସ ଗାଡ଼ି ମୁହାଁମୁହିଁ ଧକ୍କା ।
ଦୁର୍ଘଟଣାରେ ଚାଲିଗଲା ପୋଲିସ ଗାଡ଼ି ଚାଳକଙ୍କ ଜୀବନ । ଭଦ୍ରକ ଧାମରା ଅଭିମୁଖେ ଯାଉଥିବା ବେଳେ ବାସୁଦେବପୁର ରାସ୍ତାର ବିରସ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ପୁରୀ ପୋଲିସ ଗାଡିର ଚାଳକ ପ୍ରଶାନ୍ତ ବାଗଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ମେଡିକାଲକୁ ପଠାଯାଇଛି । ସୂଚନା ଅନୁଯାୟୀ, ପୁରୀ ପୋଲିସ ଏକ ମୋବାଇଲ ଟ୍ରାକିଂ ପାଇଁ ପୋଲିସ ଗାଡ଼ିରେ ଧାମରା ଅଂଚଳକୁ ଯାଉଥିଲେ ।
କାର୍ଯ୍ୟ ସାରି ବାସୁଦେବପୁର ଅଭିମୁଖେ ଫେରୁଥିଲେ । ସେହି ସମୟରେ ଧାମରା ଅଭିମୁଖେ ଯାଉଥିବା ଏକ ଲୁହା ପ୍ଲେଟ ବୋଝେଇ ଗାଡି ଦ୍ରୁତଗତିରେ ଆସି ଭାରସାମ୍ୟ ହରାଇ ପୋଲିସ ଗାଡିକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ପୋଲିସ ଗାଡିର ସମସ୍ତେ ଗୁରୁତର ହୋଇଥିବା ବେଳେ ଗାଡ଼ି ଚାଳକଙ୍କ ମୃତ୍ୟୁ ହୋଇଛି । ବାସୁଦେବପୁର ଥାନାଧିକାରୀ ନିରୋଜ କୁମାର ସାମଲ ସମସ୍ତ ଗୁରୁତରଙ୍କ ସ୍ବାସ୍ଥ୍ୟବଦ୍ଥା ପଚାରି ବୁଝିଛନ୍ତି । ନୟାକାଣୀଡିହି ପୋଲିସ ଲୁହା ପ୍ଲେଟ ବୋଝେଇ ଟ୍ରକକୁ ଅଟକ ରଖି ତଦନ୍ତ ଚଳାଇଛି ।

