ଗୁଣପୁର, (୨୮/୯) : ଆପ୍ର : ଗୁଣପୁର ସହରର ନୂତନ ବସଷ୍ଟାଣ୍ଡ ନିକଟସ୍ଥ ଭେଙ୍କଟେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଏକ ସପ୍ତାହ ବ୍ୟାପୀ ଶ୍ରୀମଦ୍ ଭାଗବତ ମହାପୁରାଣ ଜ୍ଞାନଯଜ୍ଞ ରବିବାର ଦିନ ସନ୍ଧ୍ୟାରେ ଉଦ୍ଘାଟିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ସୁଦୂର ଜଗନ୍ନାଥ ଧାମ ପୁରୀ ର କଥାବାଚକ ପଣ୍ଡିତ ସୁଦର୍ଶନ ତ୍ରିପାଠୀ ଯୋଗଦେଇ ଭାଗବତ ମହାପୁରାଣ କଥାର ପ୍ରବଚନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଗୁଣପୁର ସହର ଓ ଆଖପାଖ ଅଞ୍ଚଳର ଶହଶହ ଶ୍ରଦ୍ଧାଳୁ ଯୋଗଦେଇ ଭାଗବତ କଥାମୃତ ଶ୍ରବଣ କରିଥିଲେ । କାର୍ଯ୍ୟକ୍ରମକୁ ଆଦିତ୍ୟ ବାହିନୀର ରାଜ୍ୟ ଉପସଭାପତି ତ୍ରିପତି ମହାନ୍ତି ସଂଯୋଜନା କରିଥିବା ବେଳେ ଉମା ଶଙ୍କର ଦାସ ଅତିଥି ମାନଙ୍କୁ ଆମନ୍ତ୍ରଣ କରିଥିଲେ । ଭାଗବତ ପ୍ରଚାର ସମିତି ର ସଭାପତି ମୀନକେତନ ପଣ୍ଡା , ସମ୍ପାଦକ ରାମ ପଣ୍ଡା ସମେତ ବହୁ ଭକ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।
ମହେନ୍ଦ୍ର ଆଶ୍ରମର ଭାସ୍କର ତୀର୍ଥ ସ୍ଵରୁପ ମହାରାଜ (ଲକ୍ଷ୍ମୀ ବାବା) ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଭାଗବତ ମହାପୁରାଣ ଜ୍ଞାନଯଜ୍ଞ ସପ୍ତାହ ବ୍ୟାପୀ ଚାଲୁ ରହିବ ବୋଲି ସୂଚନା ମିଳିଛି । ସାଧ୍ୱୀ ସତ୍ୟ ସିନ୍ଧୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଦେଖିବାକୁ ମିଳିଥିଲା । ପୌରପରିଷଦ ର ଅଧ୍ୟକ୍ଷା ମମତା ଗୌଡ ଓ ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଭାଗବତ କଥାମୃତ ଶ୍ରବଣ କରିଥିଲେ । ଆଗକୁ ମଧ୍ୟ ଏଭଳି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଶ୍ରୀ ଭାଗବତ ପ୍ରଚାର ସମିତିର କର୍ମକର୍ତ୍ତା ସୂଚନା ଦେଇଛନ୍ତି ।

