କଳାହାଣ୍ଡି, (୨୬/୦୫) : ଆପ୍ର : ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ, ଘର ମାଲିକ ଏବଂ ପୁଅ ସହିତ ୬ ମୃତ, ଜଣେ ଗୁରୁତର । ସକାଳୁ ସକାଲୁ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଗୌଡକର୍ଲାଖୁଣ୍ଟା ଗାଁରେ ଏକ ବଡ଼ ଅଘଟଣ ଘଟିଯାଇଛି ।
ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୬ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଅଛନ୍ତି । ସମସ୍ତଙ୍କୁ ମଦନପୁରରାମପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ମୃତକଙ୍କ ଭିତରେ ଘର ମାଲିକ ଏବଂ ତାଙ୍କ ପୁଅ ମଧ୍ୟ ରହିଛନ୍ତି । ମୃତକ ହେଲେ ଘର ମାଲିକ ନିମାଇଁ ପାଲ(୪୮) ଓ ତାଙ୍କ ପୁଅ ଆକାଶ ପାଲ (୨୮) । ମୃତ ଶ୍ରମିକମାନେ ହେଲେ ଅଦଲ ମାଝୀ (୫୫), ମାଟୋଗଣ୍ଡା ଗାଁର ମନୋରଞ୍ଜନ ହାତୀ (୨୭), ଦୁଟାଗାଁର ଛନ୍ଦା ଜାଲ ଓ ବିପୁଲ ଜାଲ । ଗୁରୁତର ଜଣକ ହେଲେ ହାତୀଖୋଜ ଗାଁର ପଙ୍କଜ ଯାନୀ (୩୨) । ତାଙ୍କୁ ଏମ ରାମପୁର ମେଡ଼ିକାଲରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
ପ୍ରାଥମିକ ସୂଚନା ଅନୁସାରେ, ମଙ୍ଗଳବାର ସକାଳେ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଗୌଡକର୍ଲାଖୁଣ୍ଟା ଗାଁରେ ଏକ ପାଇଖାନା ଟାଙ୍କି କାମ ଚାଲିଥିଲା । ପାଇଖାନା ଟାଙ୍କିର ସେଣ୍ଟ୍ରିଂ ଖୋଲୁଥିବା ସମୟରେ ଜଣେ ଶ୍ରମିକ ଶ୍ୱାସରୁଦ୍ଧ ହୋଇଯାଇଥିଲେ । ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ତାଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟମାନେ ଜଣକ ପରେ ଜଣେ ଟାଙ୍କି ଭିତରକୁ ଯାଇଥିଲେ । ଫଳରେ ଜଣକ ପରେ ଜଣେ ଚେତାଶୂନ୍ୟ ହୋଇପଡ଼ିଥିଲେ । ସ୍ଥାନୀୟ ବ୍ୟକ୍ତି ସମସ୍ତଙ୍କୁ ତୁରନ୍ତ ଉଦ୍ଧାର କରି ମେଡ଼ିକାଲରେ ଆମ୍ବୁଲାନ୍ସ ସାହାଯ୍ୟରେ ମଦନପୁର ରାମପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।
ଡାକ୍ତର ସମସ୍ତଙ୍କୁ ସିପିଆର୍ ଦେବା ସହିତ ତୁରନ୍ତ ଅକ୍ସିଜେନ ଲଗାଇଥିଲେ । ମାତ୍ର କାହାକୁ ବଞ୍ଚାଇବା ସମ୍ଭବ ହୋଇପାରିନଥିଲା । ଶେଷରେ ଡାକ୍ତର ୬ ଜଣଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପକ୍ଷରେ ଆଉ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେବି ସଙ୍ଗୀନ ରହିଛି । ଖବର ଲେଖା ଯିବାବେଳକୁ ଉକ୍ତ ବ୍ୟକ୍ତିଙ୍କ ଚିକିତ୍ସା ଜାରି ରହିଥିଲା । ତେବେ କାହାର ପରିଚୟ ମିଳିପାରି ନାହିଁ ।

