ଚମ୍ପୁଆ, (୧୫/୧୦) : ଆପ୍ର : ବୁଧବାର ହାତୀ ଆକ୍ରମଣରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି । ମୃତ ଛାତ୍ର ଜଣକ ହେଲେ ବାରିଆ ଥାନା ଅନ୍ତର୍ଗତ ମଣ୍ଡମା ଗ୍ରାମର କେଦାର ମହାନ୍ତଙ୍କ ପୁଅ ଆକାଶ ମହାନ୍ତ (୧୪ ବର୍ଷ) ।
ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ସିଲିପୁଞ୍ଜି ଜଙ୍ଗଲରେ ୨୫ ଟିକିଆ ହାତୀପଲ କିଛିଦିନ ହେବ ଆସି ଅଛନ୍ତି । ବୁଧବାର ସକାଳେ ଆକାଶ ହାତୀ ଦେଖିବାକୁ ସିଲିପୁଞ୍ଜି ଜଙ୍ଗଲ ଭିତରକୁ ଯାଇଥିଲେ। ତେବେ ଅସାବଧାନତା ବଶତଃ ଜଙ୍ଗଲ ଭିତରେ ହାତୀ ହାବୁଡରେ ପଡିବାରୁ ହାତୀ ତାଙ୍କୁ ଶୁଣ୍ଢରେ କଚାଡି ଦେଇଥିଲା । ଖବର ପାଇ ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଣ୍ଡା ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆକାଶ ଝୁମ୍ପୁରା ବ୍ଲକ ଗୁଣ୍ଡୁଣିଆ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ବୋଲି ଜଣାପଡିଛି । ହାତୀ ଜଙ୍ଗଲ ରେ ଥିବା ବେଳେ ହାତୀ ପାଖକୁ କେହି ନଯିବା ନେଇ ବାରମ୍ବାର ବନ ବିଭାଗ ଲୋକଙ୍କୁ ସଚେତନ କରିବା ସତ୍ତ୍ୱେ ଲୋକ ଏହାକୁ ଗୁରୁତ୍ବ ନ ଦେବାରୁ ଏପରି ଅଘଟଣ ଘଟୁଛି ।

