Homebreaking newsHRMS ପୋର୍ଟାଲରେ ୩ କୋଟିରୁ ଅଧିକ ଟଙ୍କା ହଡ଼ପ୍, ଭିଜିଲାନ୍ସ ହାତରେ ଧରାପଡ଼ିଲେ ବାବୁ

HRMS ପୋର୍ଟାଲରେ ୩ କୋଟିରୁ ଅଧିକ ଟଙ୍କା ହଡ଼ପ୍, ଭିଜିଲାନ୍ସ ହାତରେ ଧରାପଡ଼ିଲେ ବାବୁ

କଟକ, (୧୨/୧୧) : ଆପ୍ର : ସରକାରୀ ଟଙ୍କା ହଡ଼ପ ପାଇଁ HRMS ପୋର୍ଟାଲରେ ବଡ଼ଧରଣର ଜାଲିଆତି ।

ମୃତ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ନାଁରେ ଜାଲ୍ ବିଲ୍ ପ୍ରସ୍ତୁତ କରି ୩ କୋଟି ୩ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ୍ ଅଭିଯୋଗରେ ଗିରଫ ହୋଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକର ବରିଷ୍ଠ ରାଜସ୍ୱ ସହାୟକ ଶଶିକାନ୍ତ ରଣା । ଦୀର୍ଘଦିନ ଧରି ଫେରାର ଥିବା ଶଶିକାନ୍ତଙ୍କୁ ଡିଜିଟାଲ୍ ଟ୍ରାକିଂ ସହାୟତାରେ ଅନୁଗୋଳରୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ । ଭିଜିଲାନ୍ସ ତଦନ୍ତରୁ ସାମ୍ନାକୁ ଆସିଛି ସରକାରୀ ଅର୍ଥ ହେରଫେରର ଏକ ବଡ଼ ମାମଲା । ଅଭିଯୋଗ ଅନୁସାରେ, ଶଶିକାନ୍ତ ରଣା ଦୁଇଟି ବ୍ଲକରେ କାର୍ଯ୍ୟରତ ଥିବା ସମୟରେ ଯୋଜନାବଦ୍ଧ ଭାବେ ସରକାରୀ ଅର୍ଥ ଆତ୍ମସାତ୍ କରିଥିଲେ ।

ଏଷ୍ଟାବ୍ଲିସମେଣ୍ଟ ବିଭାଗ ଦାୟିତ୍ୱରେ ରହି କର୍ମଚାରୀଙ୍କ ଦରମା, ବକେୟା ଦରମା, ଗ୍ରାଚ୍ୟୁଇଟି, ଛୁଟି ବାବଦ ଅର୍ଥ ଓ ପେନସନ୍ ବିଲ୍ ପ୍ରସ୍ତୁତ କରିବାର ସୁଯୋଗ ନେଇ ସେ ଏହି ଜାଲିଆତି କରିଥିବା ଭିଜିଲାନ୍ସ କହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମୃତ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ନାଁରେ ଟଙ୍କା ମଞ୍ଜୁର କରାଇ ତାହାକୁ ଅନ୍ୟ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଉଥିଲା । HRMS ପୋର୍ଟାଲରେ ପ୍ରକୃତ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ବଦଳାଇ ଶଶିକାନ୍ତ ନିଜର, ପତ୍ନୀ, ବାପା, ଭାଇ ଓ ଜଣେ ସମ୍ପର୍କୀୟଙ୍କ ଆକାଉଣ୍ଟ ନମ୍ବର ଦେଉଥିଲେ । ଏହାପରେ NEFT ମାଧ୍ୟମରେ ଟଙ୍କା ସ୍ଥାନାନ୍ତର କରାଯାଉଥିଲା ।

ଏଥିପାଇଁ କେନ୍ଦ୍ରାପଡ଼ାର ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ଇଣ୍ଡିଆନ୍ ବ୍ୟାଙ୍କରେ ଥିବା ବିଭିନ୍ନ ଆକାଉଣ୍ଟ ବ୍ୟବହାର ହୋଇଥିବା ତଦନ୍ତରୁ ଜଣାପଡ଼ିଛି । ଭିଜିଲାନ୍ସ ହିସାବ ଅନୁସାରେ, ୨୦୨୩ ଅଗଷ୍ଟ ୩୦ରୁ ୨୦୨୪ ସେପ୍ଟେମ୍ବର ୪ ମଧ୍ୟରେ ରାଜକନିକା ବ୍ଲକରେ କାର୍ଯ୍ୟରତ ଥିବା ସମୟରେ ୧ କୋଟି ୪୬ ଲକ୍ଷ ୬୮ ହଜାର ୧୧୮ ଟଙ୍କା ହଡ଼ପ ହୋଇଥିଲା। ସେହିପରି ୨୦୨୫ ଜାନୁଆରୀ ୭ରୁ ଅକ୍ଟୋବର ୧୩ ମଧ୍ୟରେ ଡେରାବିଶ ବ୍ଲକରେ ୧ କୋଟି ୫୬ ଲକ୍ଷ ୯୭ ହଜାର ୭୨୫ ଟଙ୍କା ଆତ୍ମସାତ୍ ହୋଇଥିବା ଅଭିଯୋଗ ରହିଛି । ଏହିପରି ମୋଟ ୩ କୋଟି ୩ ଲକ୍ଷ ୬୫ ହଜାର ୮୪୩ ଟଙ୍କାର ହେରଫେର ହୋଇଥିବା ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଛି ।

ଏହି ଘଟଣାରେ କଟକ ଭିଜିଲାନ୍ସ ଥାନାରେ ୪୨ ଓ ୪୩/୨୦୨୬ ନମ୍ବରରେ ଦୁଇଟି ମାମଲା ରୁଜୁ ହୋଇଛି। ଦୁର୍ନୀତି ନିବାରଣ ଆଇନ ଓ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି। ଗିରଫ ଶଶିକାନ୍ତ ରଣାଙ୍କୁ କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯିବ । ଏହି ମାମଲା HRMS ପୋର୍ଟାଲରେ ସରକାରୀ ଅର୍ଥ ପ୍ରଦାନ ଓ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି । ଦୁଇଟି ବ୍ଲକରେ ଏତେ ବିପୁଳ ପରିମାଣର ଅର୍ଥ ହେରଫେର କିପରି ହେଲା ଏବଂ ଦୀର୍ଘ ସମୟ ଧରି ଏହା କାହିଁକି ଧରାପଡ଼ିଲା ନାହିଁ, ତାହା ମଧ୍ୟ ତଦନ୍ତର ଗୁରୁତ୍ୱପୂର୍ଣ୍ଣ ଦିଗ ହୋଇପାରେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments