Homelocal୧୨ ଦଫା ଦାବିରେ ଅଡ଼ି ବସିଲେ ମିଲର୍ସ, ଡିସେମ୍ବର ୧ରୁ ଧାନ ଉଠାଣ ବନ୍ଦ ଚେତାବନୀ

୧୨ ଦଫା ଦାବିରେ ଅଡ଼ି ବସିଲେ ମିଲର୍ସ, ଡିସେମ୍ବର ୧ରୁ ଧାନ ଉଠାଣ ବନ୍ଦ ଚେତାବନୀ

ଭୁବନେଶ୍ୱର, (୧୭/୧୧) : ଆପ୍ର : ଖରିଫ୍ ଧାନ କିଣା ପୂର୍ବରୁ ବଢ଼ିଲା ଅଡ଼ୁଆ । ସରକାରଙ୍କୁ ମିଲର୍ସଙ୍କ ୧୦ ଦିନିଆ ଅଲ୍ଟିମେଟମ୍ ।

୧୨ ଦଫା ଦାବି ପୂରଣ ନହେଲେ ଡିସେମ୍ବର ୧ରୁ ଧାନ ଉଠାଣ ବନ୍ଦ ଚେତାବନୀ, ଚିନ୍ତାରେ ଚାଷୀ । ରାଜ୍ୟରେ ଖରିଫ୍ ଧାନ କିଣା ଆରମ୍ଭ ହେବା ପୂର୍ବରୁ ବଢ଼ିଲା ଅଡ଼ୁଆ । ୧୨ ଦଫା ଦାବି ନେଇ ରାଜ୍ୟ ସରକାରଙ୍କୁ ୧୦ ଦିନିଆ ଅଲ୍ଟିମେଟମ୍ ଦେଇଛି ଅଲ୍ ଓଡ଼ିଶା ରାଇସ୍ ମିଲର୍ସ ଆସୋସିଏସନ୍। ଦାବି ପୂରଣ ନହେଲେ ଡିସେମ୍ବର ୧ ତାରିଖରୁ ରାଜ୍ୟବ୍ୟାପୀ ଧାନ ଉଠାଣ ଓ ମିଲିଂ କାର୍ଯ୍ୟ ବନ୍ଦ କରିବାକୁ ସଂଘ ଚେତାବନୀ ଦେଇଛି । ଏହାକୁ ନେଇ ଧାନ ସଂଗ୍ରହ ପ୍ରକ୍ରିୟା ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି ।

ମିଲର୍ସ ସଂଘର ଅଭିଯୋଗ, ପୂର୍ବ ଧାନ ସଂଗ୍ରହ ଋତୁର ଲକ୍ଷ ଲକ୍ଷ ଟନ୍ ଚାଉଳ ଏବେ ବି ବିଭିନ୍ନ ମିଲ୍ ର ଗୋଦାମରେ ପଡ଼ିରହିଛି । ସଂଘର ଦାବି ଅନୁସାରେ, ୨୦୨୫-୨୬ ଖରିଫ୍ ଓ ରବି ଋତୁର ପ୍ରାୟ ୩୦ ଲକ୍ଷ ଟନ୍ ଚାଉଳ ଏପର୍ଯ୍ୟନ୍ତ ଉଠାଯାଇନାହିଁ । ଏଫ୍ ସିଆଇ ଓ ରାଜ୍ୟ ଯୋଗାଣ ନିଗମ ପକ୍ଷରୁ ଚାଉଳ ଉଠାଣରେ ବିଳମ୍ବ ହେଉଥିବାରୁ ଗୋଦାମରେ ନୂଆ ଧାନ ରଖିବାକୁ ଜାଗା ନଥିବା ସଂଘ ଅଭିଯୋଗ କରିଛି । ମିଲର୍ସଙ୍କ କହିବା କଥା, ପୁରୁଣା ଚାଉଳ ଗୋଦାମରୁ ଖାଲି ନହେଲେ ନୂଆ ଧାନ ଉଠାଣ ଓ ମିଲିଂ କାର୍ଯ୍ୟ କରିବା ସମ୍ଭବ ହେବନାହିଁ । ତେଣୁ ପ୍ରଥମେ ବକେୟା ଚାଉଳ ଉଠାଣ ବ୍ୟବସ୍ଥା କରିବା ସହ ମିଲର୍ସଙ୍କ ପାଉଣା ତୁରନ୍ତ ପ୍ରଦାନ କରିବାକୁ ଦାବି ହୋଇଛି । ଏଥିସହ ବକେୟା ମିଲିଂ ପ୍ରୋତ୍ସାହନ ରାଶି ପ୍ରଦାନ ପ୍ରସଙ୍ଗ ମଧ୍ୟ ସଂଘ ଉଠାଇଛି । କେବଳ ଚାଉଳ ଉଠାଣ ନୁହେଁ, ଧାନ ପରିବହନ ଓ ଗୋଦାମ ଖର୍ଚ୍ଚକୁ ନେଇ ମଧ୍ୟ ମିଲର୍ସଙ୍କ ଅସନ୍ତୋଷ ରହିଛି ।

ବର୍ତ୍ତମାନର ଖର୍ଚ୍ଚ ଅନୁସାରେ ପରିବହନ ଭଡ଼ା ସଂଶୋଧନ, ଗୋଦାମ ରକ୍ଷଣାବେକ୍ଷଣ, ବୀମା ଓ ବ୍ୟାଙ୍କ ଗ୍ୟାରେଣ୍ଟି ବାବଦ ଖର୍ଚ୍ଚ ଭରଣା କରିବାକୁ ଦାବି କରାଯାଇଛି । ସେହିପରି ମଣ୍ଡିରୁ ଉନ୍ନତମାନର ଅଖା ବସ୍ତାରେ ନିର୍ଦ୍ଧାରିତ ମାନର ଧାନ ଯୋଗାଇବା, ଧାନ ଶୁଖିବା ଯୋଗୁଁ ଓଜନ ହ୍ରାସ ପାଇଁ ରିହାତି ଦେବା ଏବଂ ଧାନ ପରିବହନ ଗାଡ଼ିରେ ଲାଗିଥିବା ଭେଇକିଲ୍ ଲୋକେସନ୍ ଟ୍ରାକିଂ ଡିଭାଇସ୍ ବ୍ୟବସ୍ଥାର ପୁନର୍ବିଚାର କରିବାକୁ ସଂଘ ଦାବି କରିଛି । ଏହି ବ୍ୟବସ୍ଥାରେ ବୈଷୟିକ ସମସ୍ୟା ରହୁଥିବା ମିଲର୍ସମାନେ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ରାଜ୍ୟ ସରକାର ୨୦୨୬-୨୭ ଖରିଫ୍ ଧାନ ସଂଗ୍ରହ ନୀତିକୁ ମଞ୍ଜୁରୀ ଦେଇଛନ୍ତି । କ୍ୱିଣ୍ଟାଲ ପିଛା ୩ ହଜାର ୧୦୦ ଟଙ୍କା ହିସାବରେ ଚାଷୀଙ୍କଠାରୁ ଧାନ କିଣିବାକୁ ବ୍ୟବସ୍ଥା ହୋଇଛି । କିନ୍ତୁ ଧାନ କିଣା ଆରମ୍ଭ ହେବା ପୂର୍ବରୁ ମିଲର୍ସଙ୍କ ଏଭଳି ଚେତାବନୀ ଚାଷୀଙ୍କ ଚିନ୍ତା ବଢ଼ାଇଛି । ଏବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଧାନ ଅମଳ ସମୟ । ଏହାରି ଭିତରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଆକଭାନ୍’ ପ୍ରଭାବରେ ବର୍ଷା ଆଶଙ୍କା ମଧ୍ୟ ରହିଛି । ଗୋଟିଏ ପଟେ ଫସଲ ସୁରକ୍ଷା ଚିନ୍ତା, ଅନ୍ୟପଟେ ଧାନ ବିକ୍ରିକୁ ନେଇ ଅନିଶ୍ଚିତତା ।

ଏଭଳି ସ୍ଥିତିରେ ମିଲର୍ସଙ୍କ ଚେତାବନୀ ଚାଷୀଙ୍କ ପାଇଁ ଆଉ ଏକ ସମସ୍ୟା ସୃଷ୍ଟି କରିପାରେ । ତେବେ ମିଲର୍ସଙ୍କ ଚେତାବନୀ ପରେ ସରକାର କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ନଜର ରହିଛି। ଆଲୋଚନା ମାଧ୍ୟମରେ ସମାଧାନ ନହେଲେ ଧାନ ସଂଗ୍ରହ, ମଣ୍ଡିରୁ ଧାନ ଉଠାଣ ଓ ଚାଉଳ ପ୍ରସ୍ତୁତି ପ୍ରକ୍ରିୟା ପ୍ରଭାବିତ ହୋଇପାରେ । ଫଳରେ ମଣ୍ଡିରେ ଧାନ ପଡ଼ିରହିବା ସହ ଚାଷୀଙ୍କୁ ଧାନ ବିକ୍ରି ପାଇଁ ଅପେକ୍ଷା କରିବାକୁ ପଡ଼ିପାରେ । ଏବେ ବଡ଼ ପ୍ରଶ୍ନ, ମିଲର୍ସଙ୍କ ୧୨ ଦଫା ଦାବି ଉପରେ ସରକାର କି ନିଷ୍ପତ୍ତି ନେବେ? ଡିସେମ୍ବର ପହିଲା ପୂର୍ବରୁ ବାହାରିବ କି ସମାଧାନର ବାଟ? ନା ଧାନ କିଣା ଆରମ୍ଭରୁ ହିଁ ମଣ୍ଡିରେ ଦେଖାଦେବ ଅଚଳାବସ୍ଥା?

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments