Homelocalଦୁର୍ଗାପୂଜାରେ ଭିଜିପାରେ ଓଡ଼ିଶା ! ୧୩ରେ ଲଘୁଚାପ ସମ୍ଭାବନା

ଦୁର୍ଗାପୂଜାରେ ଭିଜିପାରେ ଓଡ଼ିଶା ! ୧୩ରେ ଲଘୁଚାପ ସମ୍ଭାବନା

ଭୁବନେଶ୍ବର, (୦୪/୧୦) : ଆପ୍ର : ଦୁର୍ଗାପୂଜାରେ ଭିଜିପାରେ ଓଡ଼ିଶା । ୧୩ ଅକ୍ଟୋବର ବେଳକୁ ଲଘୁଚାପ ସମ୍ଭାବନା । ଏଥର ଦୁର୍ଗାପୂଜାରେ ଓଡ଼ିଶାରେ ବର୍ଷା ହୋଇପାରେ ।

ପୂଜା ଆରମ୍ଭ ବେଳକୁ ବଙ୍ଗୋପସାଗରରେ ଏକ ନୂଆ ପାଣିପାଗ ବ୍ୟବସ୍ଥା ସୃଷ୍ଟି ହେବାର ସଙ୍କେତ ଦେଇଛି ଭାରତୀୟ ପାଣିପାଗ ବିଭାଗ । ତେଣୁ ପୂଜା ମାହୋଲ ଉପରେ ବର୍ଷାର ପ୍ରଭାବ ପଡ଼ିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରୁନାହିଁ। IMDର extended-range outlook ଅନୁସାରେ, ଅକ୍ଟୋବର ୧୨ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହାର ପ୍ରଭାବରେ ପରବର୍ତ୍ତୀ ଦିନ ଅର୍ଥାତ୍ ୧୩ ବେଳକୁ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ସିଷ୍ଟମ୍ ପରବର୍ତ୍ତୀ ସମୟରେ ବଙ୍ଗୋପସାଗର ଆଡ଼କୁ ଆସିପାରେ । ଅକ୍ଟୋବର ୧୫ ବେଳକୁ ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଅଂଶ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଅବପାତର ରୂପ ନେବାର କମ୍ ସମ୍ଭାବନା ରହିଛି ।

IMD ଏହି cyclogenesis ସମ୍ଭାବନାକୁ ବର୍ତ୍ତମାନ ୧ରୁ ୩୩ ପ୍ରତିଶତର ‘low probability’ ଶ୍ରେଣୀରେ ରଖିଛି । ଏପଟେ ୧୬ ତାରିଖରୁ ଦୁର୍ଗାପୂଜା ଆରମ୍ଭ ହେଉଥିବାରୁ ସମ୍ଭାବ୍ୟ ସିଷ୍ଟମ୍ ଉପରେ ନଜର ରହିଛି। ସିଷ୍ଟମ୍ ବଙ୍ଗୋପସାଗରରେ ଶକ୍ତିଶାଳୀ ହୋଇ ଓଡ଼ିଶା ଉପକୂଳର ନିକଟବର୍ତ୍ତୀ ହେଲେ ପୂଜା ସମୟରେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିପାରେ। ତେବେ ଏହାର ଅର୍ଥ ଏବେଠାରୁ ପୂଜାରେ ପ୍ରବଳ ବର୍ଷା ହେବ ବୋଲି ନିଶ୍ଚିତ ନୁହେଁ। ସିଷ୍ଟମ୍ ସୃଷ୍ଟି ହେବାକୁ ଆହୁରି କିଛି ଦିନ ବାକି ଥିବାରୁ ଲଘୁଚାପ କେଉଁ ଦିଗକୁ ଗତି କରିବ, କେତେ ଶକ୍ତିଶାଳୀ ହେବ ଏବଂ ଓଡ଼ିଶା ଉପରେ ଏହାର ପ୍ରକୃତ ପ୍ରଭାବ କେତେ ରହିବ- ତାହା ଏବେ ସ୍ପଷ୍ଟ ହୋଇନାହିଁ । ବିଭିନ୍ନ ପାଣିପାଗ ମଡେଲ୍ ରେ ମଧ୍ୟ ସିଷ୍ଟମ୍ ର ପରବର୍ତ୍ତୀ ତୀବ୍ରତାକୁ ନେଇ ଏକମତ ଚିତ୍ର ମିଳୁନାହିଁ ।

ଅନ୍ୟପଟେ ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାହାର ପ୍ରକ୍ରିୟା ଆସନ୍ତା ସପ୍ତାହରେ ଆରମ୍ଭ ହୋଇପାରେ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ସଞ୍ଜୀବ ଦ୍ୱିବେଦୀ କହିଛନ୍ତି । ନିକଟ ଦିନଗୁଡ଼ିକରେ ବଡ଼ ବର୍ଷାର ସଙ୍କେତ ନଥିଲେ ମଧ୍ୟ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ଅକ୍ଟୋବର ୬ ଓ ୭ ପାଇଁ IMD ଓଡ଼ିଶାରେ ବଜ୍ରପାତ ଓ ଝଡ଼ବର୍ଷା ସମ୍ପର୍କିତ ସତର୍କତା ମଧ୍ୟ ଦେଇଛି । ତେଣୁ ଏବେ ସମସ୍ତଙ୍କ ନଜର ଅକ୍ଟୋବର ୧୨ରୁ ୧୫ ମଧ୍ୟରେ ବଙ୍ଗୋପସାଗରରେ ହେବାକୁ ଥିବା ପାଣିପାଗ ପରିବର୍ତ୍ତନ ଉପରେ। ଦୁର୍ଗାପୂଜା ଆରମ୍ଭ ହେବା ବେଳକୁ ଓଡ଼ିଶାର ଆକାଶ ଶୁଖିଲା ରହିବ ନା ବର୍ଷାରେ ଭିଜିବ, ତାହା ସମ୍ଭାବ୍ୟ ଲଘୁଚାପର ଗତିପଥ ସ୍ପଷ୍ଟ ହେବା ପରେ ଜଣାପଡ଼ିବ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments