ସମ୍ବଲପୁର, (୧୨/୧୧) : ଆପ୍ର : ସମ୍ବଲପୁର ଅବକାରୀ ବିଭାଗକୁ ବଡ ସଫଳତା । ୨୪୦୦ ବୋତଲ କଫ ସିରପ୍ ସହ ୧୦୫୦ ନିଶା ବଟିକା ଜବତ କରିଛି ଅବକାରୀ ବିଭାଗ ।
ଏଥିରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରାଯାଇଛି । କଟକ ଜଗତପୁର ଅଞ୍ଚଳରୁ ସମ୍ବଲପୁର ଓ ବରଗଡ଼କୁ ଚାଲାଣ ହେଉଥିଲା । ଆଜି ଭୋରୁ ହାତୀବାରି ଟୋଲ ପ୍ଲାଜାରେ ଗାଡ଼ିକୁ କାବୁ କରିଛି ଅବକାରୀ ବିଭାଗ । କଫ ସିରପ୍ କିଏ ପଠାଉଥିଲା ? କାହା ପାଖକୁ ଯାଉଥିଲା ସେନେଇ ତଦନ୍ତ ଚାଲିଛି । ସୂଚନା ଅନୁସାରେ, କଟକ ଜଗତପୁର ଅଞ୍ଚଳରୁ ଏକ ଗାଡ଼ି ଯୋଗେ ବିପୁଳ ପରିମାଣର କଫ୍ ସିରପ୍ ଓ ନିଶା ବଟିକା ସମ୍ବଲପୁର ଏବଂ ବରଗଡ଼ ଅଞ୍ଚଳକୁ ଚାଲାଣ କରାଯାଉଥିଲା । ଏନେଇ ଖବର ପାଇବା ପରେ ସମ୍ବଲପୁର ଅବକାରୀ ବିଭାଗ ପକ୍ଷରୁ ଗାଡ଼ି ଉପରେ ନଜର ରଖାଯାଇଥିଲା । ଶେଷରେ ଆଜି ଭୋର ସମୟରେ ହାତୀବାରି ଟୋଲ୍ ପ୍ଲାଜା ନିକଟରେ ସମ୍ପୃକ୍ତ ଗାଡ଼ିକୁ ଅଟକାଇ ଯାଞ୍ଚ କରାଯାଇଥିଲା ।
ଯାଞ୍ଚ ସମୟରେ ଗାଡ଼ିରୁ ୨୪୦୦ ବୋତଲ କଫ୍ ସିରପ୍ ଏବଂ ୧୦୫୦ଟି ନିଶା ବଟିକା ମିଳିଥିଲା। ଏହାକୁ ଅବକାରୀ ବିଭାଗ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରିଛି। ଏତେ ପରିମାଣର ନିଶା ସାମଗ୍ରୀ କେଉଁଠାରୁ ଆସିଥିଲା ଏବଂ କାହା ପାଖକୁ ଚାଲାଣ ହେଉଥିଲା, ତାହାକୁ ନେଇ ଏବେ ତଦନ୍ତ ଜାରି ରହିଛି । ଏହି ନିଶା କାରବାର ପଛରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ତାହା ମଧ୍ୟ ଖୋଜୁଛି ଅବକାରୀ ବିଭାଗ। ଏହି ଚାଲାଣ ପଛରେ ଥିବା ମୁଖ୍ୟ ବ୍ୟକ୍ତି ଓ ନିଶା କାରବାରର ନେଟୱର୍କ ସମ୍ପର୍କରେ ଅଧିକ ତଥ୍ୟ ହାସଲ ପାଇଁ ତଦନ୍ତ ଚାଲିଛି ।

