ରାୟଗଡା, (୨୧/୦୬) : ଆପ୍ର : ରାୟଗଡା ଓ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଏବଂ ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ୍ ଅନ୍ତର୍ଗତ କୋଡିଙ୍ଗାମାଳି ବକ୍ସାଇଟ ଖଣିର ବାର୍ଷିକ ଉତ୍ପାଦନ କ୍ଷମତାକୁ ୩.୬ ମିଲିୟନ ଟନରୁ ୬ ମିଲିୟନ ଟନକୁ ବୃଦ୍ଧି କରିବା ପ୍ରସ୍ତାବକୁ ନେଇ ଆଜି ରାୟଗଡା ସ୍ଥିତ ଅଶୋକ କଲ୍ୟାଣ ମଣ୍ଡପରେ ଏକ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି ।
ଏହି ଜନଶୁଣାଣିରେ ରାୟଗଡା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁର ଓ ଅଶୋକ ଭୋଇ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓଡିଶା ସମେତ ଓ.ଏମ.ସି ର ଅଧିକାରୀମାନେ ଉପସ୍ଥିତ ରହିଥିଲେ। ସେମାନେ ଉଭୟ ଜିଲ୍ଲାର ପ୍ରଭାବିତ ଅଞ୍ଚଳର ଲୋକଙ୍କ ମତାମତ ଓ ସମସ୍ୟା ଶୁଣିବା ସହିତ ସେଗୁଡ଼ିକୁ ଲିଖିତ ଆକାରରେ ଗ୍ରହଣ କରିଥିଲେ । ଜନଶୁଣାଣିରେ ଅଂଶଗ୍ରହଣ କରିଥିବା ସ୍ଥାନୀୟ ବାସିନ୍ଦାମାନେ କହିଥିଲେ ଯେ, ବକ୍ସାଇଟ ଖଣିର ସମ୍ପ୍ରସାରଣ ହେଲେ ଅଞ୍ଚଳରେ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବା ସହ ରାସ୍ତା, ପାନୀୟ ଜଳ, ସ୍ୱାସ୍ଥ୍ୟ ଓ ଶିକ୍ଷା ଭଳି ମୌଳିକ ସୁବିଧାର ବିକାଶ ହେବ ।
ଏହା ଦ୍ୱାରା ସ୍ଥାନୀୟ ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ ହେବା ସହ ଅଞ୍ଚଳର ସାମଗ୍ରିକ ଉନ୍ନତି ସମ୍ଭବ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି । ଜନଶୁଣାଣି ସମୟରେ ଉପସ୍ଥାପିତ ସମସ୍ତ ମତାମତ ଓ ଅଭିଯୋଗର ଭିଡିଓଗ୍ରାଫି କରାଯାଇଥିଲା । ଏହି ସମସ୍ତ ତଥ୍ୟ ଓ ରିପୋର୍ଟ ସଂଗ୍ରହ କରି ରାଜ୍ୟ ସରକାରଙ୍କ ନିକଟକୁ ପ୍ରେରଣ କରାଯିବ ବୋଲି ରାୟଗଡା ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁର ସୂଚନା ଦେଇଛନ୍ତି ।

