କଲ୍ୟାଣସିଂହପୁର, (୨୦/୧୧) : ଆପ୍ର : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡ଼ା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ ବୁଡ଼ାଗୁଡ଼ା ଗ୍ରାମର ଦୁଇଜଣ ବ୍ୟକ୍ତି ରାସ୍ତାରେ ଚାଲି ଚାଲି ଯାଉଥିବା ସମୟରେ ଏକ ଅଜଣା ଗାଡ଼ି ଦ୍ରୁତଗତିରେ ଆସି ସେମାନଙ୍କୁ ଧକ୍କା ଦେଇଥିଲା । ଧକ୍କା ଦେବା ପରେ ଗାଡ଼ିଟି ଅଟକିବା ପରିବର୍ତ୍ତେ ସେଠାରୁ ଚାଲିଯାଇଥିଲା । ଏହି ଦୁର୍ଘଟଣାରେ ସାମନ୍ତ ଗାଣ୍ଟା (୬୨) ମୃତ୍ୟୁ ହୋଇଥିବା ବେଳେ କୁମାରସ୍ୱାମୀ ନାଏକ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଘଟଣା ଖବର ପାଇ ପରିବାର ଲୋକେ ପହଞ୍ଚିବା ପରେ ସେଠାରେ ରକ୍ତାକ୍ତ ଅବସ୍ଥାରେ ପଡିରହିଥିବା ଦେଖି କାନ୍ଦବୋବାଳିରେ ପରିବେଶ ଶୋକାକୁଳ ହୋଇପଡ଼ିଥିଲା ।
ସ୍ଥାନୀୟ ଲୋକେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପୁଲିସକୁ ଖବର ଦେଇଥିଲେ । ପରେ ଗୁରୁତର ବ୍ୟକ୍ତିକୁ ରୋଗୀବୁହା ଗାଡ଼ି ଯୋଗେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ଦୁର୍ଘଟଣାଟି କେଉଁ ପରିସ୍ଥିତିରେ ଘଟିଲା ଏବଂ ଧକ୍କା ଦେଇ ଫେରାର ହୋଇଥିବା ଗାଡ଼ିଟି କେଉଁଠାର ତାହା ଜାଣିବା ପାଇଁ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଏନେଇ କଲ୍ୟାଣସିଂହପୁର ଥାନା ଅଧିକାରୀ ଅଜିତ ପରିଡ଼ା ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି । ଆସନ୍ତା କାଲି ଶବ ବ୍ୟବଛେଦ ପରେ ପରିବାର ଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ରହିଛି ।

