ରାୟଗଡା, (୧୨/୧୧) : ଆପ୍ର : ରାୟଗଡା ସହର ରାମା ଟକିଜ ସିନେମା ହଲ୍ ନିକଟରେ ଥିବା ଏକ ଦୋକାନରେ ସଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି ।
ରାୟଗଡା ସହର ରାମା ଟକିଜ ନିକଟସ୍ଥ ଏକ ରାଜେନ୍ଦ୍ର ମିଶ୍ର ଙ୍କ ଗ୍ରସେରି ଦୋକାନରେ ସଟ ସର୍କିଟ ଯୋଗୁଁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି । ଆଜି ସକାଳ ୭ଘଣ୍ଟିକା ସମୟରେ ନିଜ ଦୋକାନ ଖୋଲିବାକୁ ଯାଉଥିବା ସମୟରେ କୌଣସି କାରଣରୁ ନିଆଁ ଲାଗି ଯାଇଥିବାର ଦେଖିବାକୁ ପାଇଥିଲେ । ନିଆଁ ଏତେ ଭୟଙ୍କର ଥିଲା ଯେ ସ୍ଥାନୀୟ ଲୋକେ ନିଆଁ ଲିଭାଇବାରେ ସତ ଚେଷ୍ଟା କରିଥିଲେ ସୁଦ୍ଧା ନିଆଁ ଲିଭାଇବାରେ ବିଫଳ ହୋଇଥିଲେ । ପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ଏବଂ ନିଆଁ ଲିଭାଇଥିଲେ। ଏହି ଅଗ୍ନିକାଣ୍ଡରେ ରାଜେନ୍ଦ୍ର ମିଶ୍ରଙ୍କ ୩ଗୋଟି ଫ୍ରିଜ୍ ଏବଂ ଗୋଟାଏ ଚକଲେଟ ଫ୍ରିଜ୍ ଏବଂ ଦୋକାନରେ ବିକ୍ରି ପାଇଁ ଥିବା ଅନେକ ସାମଗ୍ରୀ ଜଳି ପାଉଁଶ ହୋଇଯାଇଛି । ପ୍ରାୟ ୧୦ଲକ୍ଷ ଟଙ୍କାର କ୍ଷତି ହୋଇଛି ବୋଲି କହିଛନ୍ତି । ଦୀର୍ଘ ୮ ବର୍ଷ ଧରି ରାଜେନ୍ଦ୍ର ମିଶ୍ର ଏହି ଗ୍ରସେରି ଦୋକାନ ଚଳାଇ ନିଜ ପରିବାରର ଗୁଜୁରାଣ ମେଣ୍ଟାଉଛନ୍ତି ବୋଲି ସେ କହିଛନ୍ତି । ଏହି ଅଗ୍ନିକାଣ୍ଡ ପରେ ସେ ଭାଙ୍ଗି ପଡ଼ିଛନ୍ତି । ଗଣ ମାଧ୍ୟମ ଦ୍ୱାରା ପ୍ରଶାସନ ନିକଟରେ ଗୁହାରି କରିଛନ୍ତି ଯେ ଏହି କ୍ଷୟ କ୍ଷତି ପୁରଣ ବାବଦରେ ତାଙ୍କୁ କିଛି ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ ଉପକୃତ ହୋଇ ପାରିବେ ।

