ସୁବର୍ଣ୍ଣପୁର, (୧୨/୧୧) : ଆପ୍ର : ସୁବର୍ଣ୍ଣପୁର ନୂତନ ଟାଉନ୍ ହଲ୍ରେ ଜିଲ୍ଲାସ୍ତରୀୟ ପେନସନ ବଣ୍ଟନ ସମାରୋହ ଆୟୋଜିତ ହୋଇଯାଇଛି ।
ରାଜ୍ୟ ସରକାର ଗରିବ, ବୃଦ୍ଧବୃଦ୍ଧା, ବିଧବା ଓ ଭିନ୍ନକ୍ଷମମାନଙ୍କ ସମ୍ମାନଜନକ ଜୀବନଧାରଣ ପାଇଁ ପ୍ରତିଶ୍ରୁତିବଦ୍ଧ। ମଧୁବାବୁ ପେନସନ ପାଇବା ପାଇଁ ଯୋଗ୍ୟ ନାଗରିକଙ୍କୁ ଆଉ କୌଣସି କାର୍ଯ୍ୟାଳୟ ଦୌଡ଼ିବାକୁ ପଡ଼ିବ ନାହିଁ। ଯୋଗ୍ୟ ହିତାଧିକାରୀ ‘ଏକୀକୃତ ପେନସନ ପରିଚାଳନା ପୋର୍ଟାଲ / ୟୁନିଫାଏଡ୍ ପେନସନ୍ ମ୍ୟାନେଜମେଣ୍ଟ ପୋର୍ଟାଲ’ (UPMP) ଜରିଆରେ ଆବେଦନ କଲେ ଏକ ମାସ ମଧ୍ୟରେ ଭତ୍ତା ମଞ୍ଜୁର କରାଯିବ ଏବଂ ଏଥିରେ କୌଣସି ପ୍ରକାର ବିଳମ୍ବ କରାଯିବ ନାହିଁ । ବୟସ ୬୦ ବର୍ଷ ଛୁଇଁବା ମାତ୍ରେ UPMP ଜରିଆରେ ସ୍ୱଚ୍ଛ ଭାବେ ସିଧାସଳଖ ଭତ୍ତା ମିଳିବ ବୋଲି ନୂତନ ଟାଉନ୍ ହଲ୍ରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ସେ ସୂଚନା ଦେଇଥିଲେ ଯେ ମଧୁବାବୁ ପେନସନ ଯୋଜନାରେ ସୁବର୍ଣ୍ଣପୁର ଜିଲ୍ଲାରେ ୫,୦୬୨ ଜଣ ନୂତନ ହିତାଧିକାରୀଙ୍କୁ ସାମିଲ କରାଯାଇଛି। ରାଜ୍ୟରେ ଆବେଦନ କରିଥିବା ପ୍ରାୟ ୭ ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କ ମଧ୍ୟରୁ ୫ ଲକ୍ଷରୁ ଅଧିକଙ୍କୁ ଅନୁମୋଦନ ଦିଆଯାଇଛି। ଯେଉଁମାନଙ୍କର ଆଧାର କିମ୍ବା ବ୍ୟାଙ୍କ ଖାତା ଜନିତ ବୈଷୟିକ (Technical) ତ୍ରୁଟି ରହିଛି, ସରକାର ତାହାର ସମାଧାନ କରୁଛନ୍ତି ଏବଂ ସେମାନେ ମଧ୍ୟ ନିଶ୍ଚିତ ଭାବେ ପେନସନ ପାଇବେ । ହିତାଧିକାରୀମାନଙ୍କୁ ଅକ୍ଟୋବର ଏବଂ ନଭେମ୍ବର, ଏହି ଦୁଇ ମାସର ଭତ୍ତା ଆଜି ପ୍ରଦାନ କରାଯାଇଛି । ଆଜି ପ୍ରାୟ ୬୦୦ ଜଣ ହିତାଧିକାରୀ ପେନସନ ପାଇଛନ୍ତି । ଆସନ୍ତା ଡିସେମ୍ବର ମାସରୁ ପ୍ରତି ମାସର ୧୫ ତାରିଖରେ ଭତ୍ତା ନିୟମିତ ଭାବେ ପ୍ରଦାନ କରାଯିବ ।
ଯେଉଁ ଅସହାୟ ବୟସ୍କ ଲୋକଙ୍କର ଶାରୀରିକ ଅସୁସ୍ଥତା କିମ୍ବା ବାୟୋମେଟ୍ରିକ୍ (ଆଙ୍ଗୁଠି ଚିହ୍ନ/ଆଖି ସ୍କାନ) ସମସ୍ୟା ରହିଛି, ସରକାରୀ ପ୍ରତିନିଧି ସିଧାସଳଖ ସେମାନଙ୍କ ଘରେ ପହଞ୍ଚି ନଗଦ ଅର୍ଥ ପ୍ରଦାନ କରିବେ। ବୟସ ୮୦ ବର୍ଷ ଅତିକ୍ରମ କରିଥିବା ପ୍ରତ୍ୟେକ ବରିଷ୍ଠ ନାଗରିକଙ୍କୁ ମାସିକ ୩,୫୦୦ ଟଙ୍କା ଲେଖାଏଁ ପେନସନ ରାଶି ମିଳିବ । ପେନସନ ବା ଆବାସ ଯୋଜନା ପାଇଁ କାହାକୁ ଗୋଟିଏ ନୂଆ ପଇସା ବି ଲାଞ୍ଚ ନଦେବାକୁ ଉପମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଏବଂ ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ବଜାୟ ରଖିବାକୁ ଅଧିକାରୀମାନଙ୍କୁ କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ, ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା, ଜିଲ୍ଲାପାଳ ଦେବାଶିଷ ସିଂହ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ, ସମାଜସେବୀ ଏବଂ ହଜାର ହଜାର ହିତାଧିକାରୀ ଉପସ୍ଥିତ ଥିଲେ। ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ ତତ୍ୱାବଧାନ ରେ ଆୟୋଜିତ ହୋଇଥିଲା ଏବଂ ଜିଲ୍ଲା ପ୍ରଶାସନର ସମସ୍ତ କର୍ମଚାରି ଏଥିରେ ସହଯୋଗ କରିଥିଲେ ।

