Homelocalସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ହାଇ-ଆଲର୍ଟରେ ଗଞ୍ଜାମ ପ୍ରଶାସନ, ଅଧିକାରୀଙ୍କ ଛୁଟି ବାତିଲ

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ହାଇ-ଆଲର୍ଟରେ ଗଞ୍ଜାମ ପ୍ରଶାସନ, ଅଧିକାରୀଙ୍କ ଛୁଟି ବାତିଲ

ଗଞ୍ଜାମ, (୧୫/୧୧) : ଆପ୍ର : ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ୧୬ ତାରିଖ ସୁଦ୍ଧା ସମୁଦ୍ରରୁ ଫେରି ଆସିବାକୁ ମତ୍ସ୍ୟଜୀବୀଙ୍କୁ ନିର୍ଦ୍ଦେଶ ।

କୌଣସି ଅଧିକାରୀ ବିନା ଅନୁମତିରେ ସଦର ମହକୁମା ଛାଡ଼ିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି । ୧୮ ଓ ୧୯ ତାରିଖରେ ଜିଲ୍ଲା ପାଇଁ ସତର୍କ ସୂଚନା ରହିବା ସହ ବର୍ଷା ଓ ପବନର ସମ୍ଭାବନା ଥିବାରୁ ଏହାର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି । ସମ୍ଭାବ୍ୟ ବାତ୍ୟାର ପ୍ରଭାବକୁ ଗୁରୁତ୍ୱର ସହ ନେଇ ସମସ୍ତ ବିଭାଗ ନିଜ ନିଜ ଦାୟିତ୍ୱ ସମ୍ପାଦନରେ କରିବେ । ଗତ ବାତ୍ୟା ଅର୍ଣ୍ଣବ ଓ ପରବର୍ତ୍ତୀ ବନ୍ୟା ପରିସ୍ଥିତିର ଅଭିଜ୍ଞତାକୁ ଆଧାର କରି ଏଥର ମଧ୍ୟ ସମସ୍ତ ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଗଞ୍ଜାମ ଜିଲ୍ଲାପାଳ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆବଶ୍ୟକ ପଡ଼ିଲେ ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନ ଓ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବ । ଏଥିପାଇଁ ଆଶ୍ରୟସ୍ଥଳୀଗୁଡ଼ିକରେ ପାନୀୟ ଜଳ, ଖାଦ୍ୟ, ଆଲୋକ, ଶୌଚାଳୟ ଆଦି ଆବଶ୍ୟକ ସୁବିଧାର ଯାଞ୍ଚ କରିବାକୁ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ କୁହାଯାଇଛି ।

ସମୁଦ୍ରରେ ମାଛ ଧରୁଥିବା ସମସ୍ତ ମତ୍ସ୍ୟଜୀବୀଙ୍କୁ ଆସନ୍ତାକାଲି ସୁଦ୍ଧା କୂଳକୁ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ବ୍ଲକରେ ମାଇକ୍ ଯୋଗେ ଜନସଚେତନତା ସୃଷ୍ଟି କରାଯିବ। ପଞ୍ଚାୟତ ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀ ଓ ସ୍ଥାନୀୟ ଲୋକଙ୍କ ସହ ବିଡିଓମାନେ ସମନ୍ୱୟ ରଖିବେ। ଶୂନ୍ୟ ମୃତାହତ ଲକ୍ଷ୍ୟ ହାସଲ ସହ ଗୃହପାଳିତ ପଶୁଙ୍କ ସୁରକ୍ଷା ଉପରେ ମଧ୍ୟ ଜିଲ୍ଲାପାଳ ଗୁରୁତ୍ୱ ଦେଇଛନ୍ତି । ଗର୍ଭବତୀ ମହିଳାଙ୍କୁ ଆଗୁଆ ସ୍ଥାନାନ୍ତର ପାଇଁ ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ସମନ୍ୱୟ ରଖିବେ । ଗୃହପାଳିତ ପଶୁଙ୍କ ସୁରକ୍ଷିତ ରହଣି ପାଇଁ ପଶୁ ସମ୍ପଦ ବିଭାଗ ପଦକ୍ଷେପ ନେବ ।

ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ସାପ କାମୁଡ଼ା ନିରୋଧୀ ଇଞ୍ଜେକ୍ସନ ସହ ଆବଶ୍ୟକ ଔଷଧ ମହଜୁଦ ରଖାଯିବ। ପାନୀୟ ଜଳ ଯୋଗାଣ ଯେପରି ବ୍ୟାହତ ନହୁଏ, ସେଥିପାଇଁ RWSS ଓ ୱାଟ୍ କୋ ପକ୍ଷରୁ ପାଣି ଟ୍ୟାଙ୍କର ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଖାଦ୍ୟ ଯୋଗାଣ ବିଭାଗ ଚୁଡ଼ା, ଗୁଡ଼, ବିସ୍କୁଟ ଓ ପାଣି ବୋତଲ ଆଦି ଆବଶ୍ୟକ ସାମଗ୍ରୀ ମହଜୁଦ ରଖିବ । ବିଦ୍ୟୁତ୍ , ଅଗ୍ନିଶମ, ଟେଲିଯୋଗାଯୋଗ, ରାସ୍ତା ଓ କୋଠାବାଡ଼ି, ଜଳସମ୍ପଦ ଏବଂ ଜଳସେଚନ ବିଭାଗକୁ ମଧ୍ୟ ସଜାଗ ରହିବାକୁ କୁହାଯାଇଛି । ବିଶେଷକରି ଖରଖରୀ ନାଳ ସମେତ ଜଳ ନିଷ୍କାସନ ବ୍ୟବସ୍ଥା ଉପରେ ନଜର ରଖିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି । ସମ୍ଭାବ୍ୟ ବର୍ଷା ପୂର୍ବରୁ ପାଚିଲା ଫସଲ ଅମଳ କରିନେବାକୁ ଚାଷୀମାନଙ୍କୁ ଅନୁରୋଧ କରାଯାଇଛି । ଫସଲ ସୁରକ୍ଷା ଓ ଜଳ ନିଷ୍କାସନ ପାଇଁ କୃଷି ଓ ଜଳସେଚନ ବିଭାଗ ସମନ୍ୱୟ ରଖିବେ ।

ରେଡ୍ ୱାର୍ଣ୍ଣିଂ ଜାରି ହେଲେ ବିଡିଓମାନେ ପ୍ରତିଦିନ ସକାଳ ୯ଟା ଓ ସନ୍ଧ୍ୟା ୭ଟାରେ ନିଜ ଅଞ୍ଚଳର ସ୍ଥିତି ଓ ପ୍ରସ୍ତୁତି ସମ୍ପର୍କରେ ତଥ୍ୟ ପ୍ରଦାନ କରିବେ। ଜିଲ୍ଲାରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ରହିବ। ଏନ୍ ଡିଆର୍ ଏଫ୍ , ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀକୁ ଉଦ୍ଧାର ଓ ସ୍ଥାନାନ୍ତର କାର୍ଯ୍ୟ ପାଇଁ ପ୍ରସ୍ତୁତ ରଖାଯିବ । କୌଣସି ଅଧିକାରୀ ବିନା ଅନୁମତିରେ ସଦର ମହକୁମା ଛାଡ଼ିବେ ନାହିଁ ବୋଲି ଜିଲ୍ଲାପାଳ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ସମ୍ଭାବ୍ୟ ବାତ୍ୟାକୁ ନେଇ ଜନସାଧାରଣ ଆତଙ୍କିତ ନହୋଇ ପ୍ରଶାସନର ସତର୍କ ସୂଚନା ଓ ନିର୍ଦ୍ଦେଶ ପାଳନ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments