ମୁରିବାହାଲ, ତା ୧୧/୦୮/୨୬: ବଲାଙ୍ଗିର ଜିଲ୍ଲା ମୁରିବାହାଲ ସଦର ମହକୁମାରେ ଥିବା ଅଲେଖ ମହିମା ମଠରୁ ଜଣେ ନାବାଳକ ସାଧୁ ୩ ଦିନ ହେବ ନିଖୋଜ ହୋଇଯାଇଛନ୍ତି। ଏ ନେଇ ମଠାଧୀଶ ମୁରିବାହାଲ ଥାନାରେ ଏତଲା ଦେଇଛନ୍ତି। ନିଖୋଜ ସାଧୁ ଜଣକ ହେଲେ ମହିମା ଧର୍ମାବଲମ୍ବି ସାଧୁବାବା ଅବଧୂତ ଦାସ ଓରଫ ନାରାୟଣ (ବୟସ- ୧୭)। ସେ ଗତ ୦୮/୦୮/୨୬ ତାରିଖ ସକାଳ ୫ଟା ୩୦ ମିନିଟ ସମୟରେ ମଠରୁ ବାହାରି କେଉଁଆଡେ ଚାଲିଯାଇଥିଲେ। ମଠର ଅନ୍ୟମାନେ ବହୁ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିନାହିଁ।
ସୂଚନା ଅନୁଯାୟୀ, ନିଖୋଜ ସାଧୁଙ୍କର ସାମାନ୍ୟ ମସ୍ତିଷ୍କ ବିକୃତି ରହିଛି। ଏହି କାରଣରୁ ସେ ପୂର୍ବରୁ ମଧ୍ୟ ଅନେକ ଥର ମଠରୁ ଚାଲିଯାଉଥିଲେ। ଏହି ନିଖୋଜ ଘଟଣା ସମ୍ପର୍କରେ ମୁରିବାହାଲ ଅଲେଖ ମହିମା ମଠର ମଠାଧୀଶ ସାଧୁ ସୁଶୀଲ ଦାସ ବାବା ଥାନାରେ ଏତଲା ଦେଇଥିଲେ। ପୁଲିସ ଏକ ନିଖୋଜ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଛି। ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନିଖୋଜ ସାଧୁଙ୍କୁ ଘଟଣା ଦିନ ମୁରିବାହାଲ ଷ୍ଟେସନର ଏକ ନମ୍ବର ପ୍ଲାଟଫର୍ମରେ ବସିଥିବାର କେତେଜଣ ଲୋକ ଦେଖିଥିଲେ। ସେ ରାଇପୁର ଆଡକୁ ଯାଇଥିବା ସନ୍ଦେହ କରାଯାଉଛି। ଯଦି କୌଣସି ସହୃଦୟ ବ୍ୟକ୍ତି ସାଧୁ ଅବଧୂତ ଦାସ (ନାରାୟଣ)ଙ୍କ ସନ୍ଧାନ ପାଆନ୍ତି, ତେବେ ଦୟାକରି ମଠାଧୀଶ ସାଧୁ ସୁଶୀଲ ଦାସଙ୍କ ମୋବାଇଲ ନମ୍ବର ୯୯୩୭୫୫୩୫୬୭ କିମ୍ବା ନିକଟସ୍ଥ ଥାନାରେ ଯୋଗାଯୋଗ କରନ୍ତୁ ବୋଲି ସାଧୁ ସୁଶୀଲ ଦାସ ସାଧାରଣରେ ବିନମ୍ର ଅନୁରୋଧ କରିଛନ୍ତି।

