ସାମ୍ବାଦିକ ଅଶୋକ ନାରାୟଣ ଭୋଇଙ୍କ ଦେହାନ୍ତ, ଶୋକରେ ସାମ୍ବାଦିକ ମହଲ

Date:

Share post:

  • ଖବର ପରିବେଷଣ କରୁଥିବା ଲୋକ ଆଜି ନିଜେ ଖବର ଶୀର୍ଷକ ପାଲଟିଲେ

ମୁରିବାହାଲ, (୨୨/୦୬) : ଆପ୍ର : ଦୀର୍ଘ ୧୭ ବର୍ଷ ଧରି ବିଭିନ୍ନ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ପ୍ରମେୟ ନ୍ୟୁଜ୍ ସେଭେନ କଣ୍ଟାବାଞ୍ଜି ଓ ଦୈନିକ ସମାଜ ଖବରକାଗଜର ବଙ୍ଗୋମୁଣ୍ଡା ବ୍ଲକ ପ୍ରତିନିଧି ସାମ୍ବାଦିକ ଅଶୋକ ନାରାୟଣ ଭୋଇଙ୍କ ଆଜି ଦେହାନ୍ତ ହୋଇଯାଇଛି ।

ମୃତ୍ୟୁ ବେଳକୁ ତାଙ୍କୁ ୪୦ ବର୍ଷ ବୟସ ହୋଇଥିଲା । ସୂଚନା ଅନୁଯାୟୀ, ଅତ୍ୟାଧିକ ରକ୍ତଚାପ ଯୋଗୁଁ ୨୦ତାରିଖ ଦିନ ପ୍ରଥମେ ଖଡ଼ିଆଳ ସରକାରୀ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଖଡ଼ିଆଳ ମିଶନ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଇଥିଲା । ଗୁରୁତର ଅସୁସ୍ଥ ହୋଇ ସେ ଅଚେତ ଅବସ୍ଥାରେ ଖଡ଼ିଆଳ ମିଶନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରବର୍ତ୍ତୀ ସମୟରେ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ୨୧ ତାରିଖ ରାୟପୁର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଡାକ୍ତରମାନଙ୍କ ନିରନ୍ତର ଚିକିତ୍ସା ଓ ସମସ୍ତଙ୍କ ପ୍ରାର୍ଥନା ସତ୍ତ୍ୱେ ତାଙ୍କୁ ବଞ୍ଚାଇ ରଖିବା ସମ୍ଭବ ହୋଇନଥିଲା । ରାୟପୁର ସ୍ଥିତ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ରାତ୍ର ପ୍ରାୟ ୧ ଘଟିକାରେ ତାଙ୍କର ଦେହାନ୍ତ ଘଟିଛି ।

ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ଉପାନ୍ତ ଇଲାକା ଗୋଇମୁଣ୍ଡ ଗ୍ରାମର ବାସିନ୍ଦା ଶ୍ରୀ ଭୋଇ ୨୦୦୯ ମସିହାରୁ ସାମ୍ବାଦିକତା କ୍ଷେତ୍ରେ ସକ୍ରିୟ ଥିଲେ । ସେ ପ୍ରଥମେ ରାଷ୍ଟ୍ରଭାରତୀ, ଖବର ପତ୍ରିକା, ଜନବାଣୀ, ସମାଜ ଖବରକାଗଜ, ବଡ଼ଖବର, ପ୍ରମେୟ ନ୍ୟୁଜ୍ ସେଭେନରେ କାର୍ଯ୍ୟ କରି ଲୋକଙ୍କ ସାଧାରଣ ସମସ୍ୟାଠାରୁ ଆରମ୍ଭ କରି ବିଭିନ୍ନ ଖବର ଉପସ୍ଥାପନ କରି ସରକାର ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ।

ସେ ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘର କାର୍ଯ୍ୟକାରୀ ସଭାପତି, ବଲାଙ୍ଗିର ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘର ଉପ ସଭାପତି ଓ ଗୋଇମୁଣ୍ଡ ସ୍କୁଲର ପରିଚାଳନା କମିଟିର ସଭାପତି ଭାବେ ଦାୟିତ୍ୱ ତୁଲାଉଥିଲେ। ଉତ୍କଳ କନ୍ଧ ସମାଜ ବୁଡୁକା ପ୍ରଗଣାର ପୂର୍ବତନ ସମ୍ପାଦକ ଭାବେ କାର୍ଯ୍ୟ କରିବା ସହ ଆଦିବାସୀମାନଙ୍କ ହକ ଓ ଅଧିକାର ପାଇଁ ଲଢେଇ କରୁଥିଲେ । ୨୦୦୭ ମସିହାରେ ଗୋଇମୁଣ୍ଡ ପଞ୍ଚାୟତରେ ସମିତି ସଭ୍ୟ ନିର୍ବାଚନରେ ୭ ଗୋଟି ଭୋଟ ପାଇଁ ପରାଜିତ ହୋଇଥିଲେ। ତାଙ୍କ ପଞ୍ଚାୟତର ଉନ୍ନତି ପାଇଁ ସେ ସବୁବେଳେ ତତ୍ପର ରହୁଥିଲେ । ଜଳଧର ଭୋଇ ଓ ପଦ୍ମାବତୀ ଭୋଇଙ୍କ ଏକମାତ୍ର ପୁଅ ଅଶୋକ ନାରାୟଣ ଭୋଇ। ପରିବାର ମୁଖ୍ୟ ଅଶୋକଙ୍କ ମୃତ୍ୟୁ ପରେ ପରିବାରେ ଥିବା ସ୍ତ୍ରୀ ଦେବକୀ ଭୋଇ, ୧୫ ବର୍ଷର ଝିଅ ଲିପସାରାଣୀ ଭୋଇ ଓ ୧୨ ବର୍ଷର ଝିଅ ଲିଲିମା ଭୋଇ ଦୁଃଖରେ ଭାଙ୍ଗି ପଡିଛନ୍ତି ।

ତାଙ୍କ ଦେହାନ୍ତ ଖବର ପାଇ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି। ସେ ସାମ୍ବାଦିକତା କ୍ଷେତ୍ରେ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି। ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ଅଜିତ କୁମାର ଯୋଶୀ, ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘର ଉପ ସଭାପତି ସୁରେଶ ଭୋଇ, ଆଦିବାସୀ ନେତା ଗିରିରାଜ ସିଂ ମାଝୀ, କଣ୍ଟାବାଞ୍ଜି ବିଧାୟକଙ୍କ ପ୍ରତିନିଧି ମୁକେଶ ବାଗ, କନ୍ଧ ସମାଜ ଯୁବ ସଂଗଠନର ସମ୍ପାଦକ ଡିଙ୍ଗର ଭୋଇଙ୍କ ସହ ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘ, କଣ୍ଟାବାଞ୍ଜି ପ୍ରେସ କ୍ଲବ, କଣ୍ଟାବାଞ୍ଜି ସାମ୍ବାଦିକ ସଂଘ, ମୁରିବାହାଲ ସାମ୍ବାଦିକ ସଂଘ, ଜର୍ଣ୍ଣାଲିଷ୍ଟ ଏସୋସିଏସନ ମୁରିବାହାଲ, ଏସ୍ ୟୁ ଜେ ବଲାଙ୍ଗିର ଶାଖା, ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘ ସହ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ ।

ସେ ସରଳ, ମିଷ୍ଟଭାଷୀ ଓ କର୍ତ୍ତବ୍ୟନିଷ୍ଠ ସାମ୍ବାଦିକ ଭାବେ ଅଶୋକ ନାରାୟଣ ଭୋଇ ଅନେକଙ୍କ ହୃଦୟରେ ସ୍ଥାନ ସୃଷ୍ଟି କରିଥିଲେ। ତାଙ୍କ ଅକାଳ ବିୟୋଗରେ ପରିବାର, ବନ୍ଧୁବର୍ଗ, ସହକର୍ମୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଶୋକାକୁଳ ପରିବେଶ ମଧ୍ୟରେ ଗାଁ ନଦୀକୂଳରେ ତାଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା। ତାଙ୍କ ବାପା ଜଳଧର ଭୋଇ ମୁଖାଗ୍ନି ଦେଇଥିଲେ। ଜୀବନ ସାରା ଅନ୍ୟମାନଙ୍କ ଖବରକୁ ସମାଜ ସମ୍ମୁଖରେ ପହଞ୍ଚାଉଥିବା ଅଶୋକ ଆଜି ନିଜେ ଏକ ଖବର ଶୀର୍ଷକ ପାଲଟିଛନ୍ତି। ତାଙ୍କ ବିୟୋଗ ପରେ ସୋସିଆଲ ମିଡିଆରେ ଶୋକର ବାର୍ତ୍ତା ଓ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟୁଛି। ଆଜି ସମସ୍ତଙ୍କ ମୁହଁରେ ଗୋଟିଏ କଥା – “ଅଶୋକ, ତୁମେ ସବୁଦିନ ମନେ ରହିବ”।

LEAVE A REPLY

Please enter your comment!
Please enter your name here

spot_img

Related articles

ପୁଣି ଘୁଞ୍ଚିଲା ଓଟିଇଟି ପରୀକ୍ଷା, ଜୁଲାଇ ୫ ପରୀକ୍ଷା ନେଇ ସୂଚନା ଜାରି

କଟକ, (୨୩/୦୬) : ଆପ୍ର : ପୁଣି ଘୁଞ୍ଚିଲା ଓଟିଇଟି ପରୀକ୍ଷା । ଜୁନ ୨୮ ରେ ହେବାକୁ ଥିବା ଏହି ଓଟିଇଟି ପରୀକ୍ଷା...

ମନମୁଣ୍ଡା ମଣ୍ଡିରୁ ଉଠୁନି ଧାନ : ଆନ୍ଦୋଳନ ପାଇଁ ଚାଷୀ ସଜବାଜ

ବୌଦ୍ଧ, (୨୩/୦୬) : ଆପ୍ର : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ମଣ୍ଡିରୁ ଉଠୁନି ଧାନ । ଅବ୍ୟବସ୍ଥା ଘେରରେ ସରକାରୀ ଓ...

ନାବାଳିକା ଝିଅ ସହ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତ ବାପା ଗିରଫ

ବରଗଡ଼, (୨୩/୦୬) : ଆପ୍ର : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନା ଅଞ୍ଚଳରେ ଲଜ୍ଜାଜନକ ଘଟଣା ଘଟିଛି । ନାବାଳିକା ଝିଅକୁ...

ସ୍କୁଲରେ ଡିଇଓଙ୍କ ଆକସ୍ମିକ ପରିଦର୍ଶନ, ଶିକ୍ଷା କ୍ଷେତ୍ରେ ନୂଆ ଉତ୍ସାହ

ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା, ଶିକ୍ଷାଦାନର ମାନ ଯାଞ୍ଚ ମୁରିବାହାଲ, (୨୩/୦୬) : ଆପ୍ର : ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର...