ସୁନ୍ଦରଗଡ଼, (୦୮/୦୮) : ଆପ୍ର : ହଷ୍ଟେଲ ଭିତରେ ନାବାଳିକା ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ। ସୁନ୍ଦରଗଡ଼ ଜିଲ୍ଲା ବାବୁଡିହିସ୍ଥିତ ନ୍ୟୁ ଓଡ଼ିଶା ହାୟର ସେକେଣ୍ଡାରୀ ସ୍କୁଲ୍ର ଛାତ୍ରୀ ହଷ୍ଟେଲରୁ ଜଣେ ନାବାଳିକା ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି ।
ମୃତ ଛାତ୍ରୀ ଜଣକ ରାଜଗାଙ୍ଗପୁର ଅଞ୍ଚଳର ଏବଂ ଏକାଦଶ ଶ୍ରେଣୀରେ ପଢୁଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଗୁରୁବାର ଦିନ ଅପରାହ୍ନରେ ହଷ୍ଟେଲର ଅନ୍ୟ ଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ପାଇଁ ଡାଇନିଂ ହଲ୍କୁ ଯାଇଥିଲେ। ତେବେ ଛାତ୍ରୀ ଜଣକ ନିଜ ରୁମ୍ରେ ରହିଯାଇଥିଲେ । ଖାଇବା ପରେ ଅନ୍ୟ ଛାତ୍ରୀମାନେ ରୁମ୍କୁ ଫେରିବା ପରେ ତାଙ୍କୁ ମୃତ ଅବସ୍ଥାରେ ଦେଖିଥିଲେ ।
ଏହାପରେ ହଷ୍ଟେଲରେ ଆତଙ୍କ ଖେଳିଯାଇଥିଲା । ତୁରନ୍ତ ଘଟଣା ସମ୍ପର୍କରେ ପୁଲିସକୁ ଖବର ଦିଆଯାଇଥିଲା । ତଳସରା ଥାନା ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ସହ ଫରେନସିକ୍ ଟିମ୍ ମଧ୍ୟ ତଦନ୍ତ କରିଛି । ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଏହା ଆତ୍ମହତ୍ୟା ନା ମୃତ୍ୟୁ ପଛରେ ଆଉ କିଛି ରହସ୍ୟ ରହିଛି, ତାହା ଏବେ ସ୍ପଷ୍ଟ ହୋଇନାହିଁ । ଘଟଣାର ସମସ୍ତ ଦିଗକୁ ନେଇ ପୁଲିସ ତଦନ୍ତ କରୁଛି । ବ୍ୟବଚ୍ଛେଦ ରିପୋର୍ଟ ଏବଂ ତଦନ୍ତ ପରେ ଛାତ୍ରୀଙ୍କ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।

