ମୁରିବାହାଲ, (୩୧/୦୮) : ଆପ୍ର : ବଲାଙ୍ଗିର ଜିଲ୍ଲା ମୁରିବାହାଲ ସଦର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅନ୍ତର୍ଗତ ଉଲ୍ଲାସ ଏକ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି ।
ମୁରିବାହାଲ ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିହାରୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ପ୍ରତ୍ୟେକ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ, ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ, ସ୍ୱେଚ୍ଛାସେବୀ ଶିକ୍ଷକ ଏବଂ ସର୍ବେକ୍ଷଣକାରୀ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କୋଦଣ୍ଡଧର ଭୋଇ ଉପସ୍ଥିତ ହୋଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ବ୍ଲକ ନବ ଭାରତ ଶିକ୍ଷା କାର୍ଯ୍ୟକ୍ରମ ଦାୟିତ୍ୱରେ ଥିବା ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କାନ୍ତାରାମ ଧରୁଆ ଏହି କାର୍ଯ୍ୟକ୍ରମର ରୂପରେଖ ବର୍ଣ୍ଣନା କରିଥିଲେ ।
ସାଧନ କର୍ମୀ ଭାବେ ଅଶୋକ କୁମାର ସାହୁ, ନକୁଳ ମାଝୀ, ଭୀଷ୍ମ ସେଠ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମରେ ଶିକ୍ଷାର୍ଥୀମାନଙ୍କୁ କିପରି ପଞ୍ଜୀକରଣ କରାଯିବ, ତାଙ୍କର ଶିକ୍ଷଣ ପ୍ରକ୍ରିୟା କିପରି କରାଯିବ ସେ ବିଷୟରେ ଆଲୋଚନା କରିଥିଲେ । ଆଗାମୀ ସେପ୍ଟେମ୍ବର ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଉଲ୍ଲାସ ପରୀକ୍ଷାକୁ ସୁଚାରୁ ରୂପେ ସମ୍ପାଦନ କରିବାକୁ ନିଷ୍ପତ୍ତି ନିଆଯାଇଛି ।

