ସୋର, (୨୬/୦୮) : ଆପ୍ର : ଡ୍ୟୁଟି ସାରି ଘରକୁ ଫେରୁଥିବା ସୋର ଉପକାରାଗାରର ୱାର୍ଡେନ୍ ସୁରେନ୍ଦ୍ର ସାମଲଙ୍କୁ ଦିନ ଦ୍ୱିପ୍ରହରେ ଭୁଜାଲିରେ ଆକ୍ରମଣ କରାଯାଇଛି ।
ମାଣତ୍ରୀ ଛକ ବଳିବାଡ଼ ନିକଟରେ ଏହି ଆକ୍ରମଣ ଘଟିଥିବା ବେଳେ ତିନିଜଣ ଦୁର୍ବୃତ୍ତ ଏକ ବାଇକ୍ରେ ଆସି ଘଟଣା ଘଟାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ତିନିଜଣ ଦୁର୍ବୃତ୍ତ ପ୍ରଥମେ ସୁରେନ୍ଦ୍ରଙ୍କ ନାମ ପଚାରିଥିଲେ । ସେ ସୁରେନ୍ଦ୍ର ବୋଲି ଚିହ୍ନଟ ହେବା ପରେ ହଠାତ୍ ଭୁଜାଲିରେ ତାଙ୍କ ଗୋଡ଼, ହାତ ଓ ପାପୁଲିକୁ ଆକ୍ରମଣ କରିଥିଲେ । ଆକ୍ରମଣ ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ବାଇକ୍ରେ ଫେରାର ହୋଇଯାଇଥିଲେ । ଗୁରୁତର ଆହତ ସୁରେନ୍ଦ୍ରଙ୍କୁ ପ୍ରଥମେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତର କରିଛନ୍ତି । ପ୍ରାଥମିକ ସୂଚନା ଅନୁଯାୟୀ, ସୋର ଉପକାରାଗାରରେ ଥିବା କିଛି ଅପରାଧୀଙ୍କ ସହ ଏହି ଆକ୍ରମଣର ସମ୍ପର୍କ ଥାଇପାରେ ବୋଲି ସନ୍ଦେହ କରାଯାଉଛି । ଘଟଣା ସମ୍ପର୍କରେ ଖବର ପାଇ ସୋର ଥାନା ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଆକ୍ରମଣର ପ୍ରକୃତ କାରଣ ଓ ଏହା ପଛରେ କିଏ ରହିଛି, ତାହା ଅସ୍ପଷ୍ଟ ରହିଛି ।

