ଭୁବନେଶ୍ୱର, (୧୯/୦୯) : ଆପ୍ର : ବଙ୍ଗୋପସାଗରରେ ବଢ଼ୁଛି ବାତ୍ୟା ସମ୍ଭାବନା । ବଙ୍ଗୋପସାଗରରେ ୨୦୨୬ର ପ୍ରଥମ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି ।
ଘରୋଇ ପାଣିପାଗ ସଂସ୍ଥା ଏଭଳି ପୂର୍ବାନୁମାନ କରିଛି । ତେବେ ବାତ୍ୟା ହେବ କି ନାହିଁ, ଏହାର ତୀବ୍ରତା କେତେ ରହିବ ଓ କେଉଁଠି ଉପକୂଳ ଛୁଇଁବ, ତାହା ଏବେଠାରୁ ସ୍ପଷ୍ଟ ହୋଇନାହିଁ । ପୂର୍ବାନୁମାନ ଅନୁସାରେ, ଉତ୍ତର ଥାଇଲାଣ୍ଡ ଓ ସଂଲଗ୍ନ ମିଆଁମାର ଅଞ୍ଚଳରୁ ଆସିଥିବା ଘୂର୍ଣ୍ଣିବଳୟର ପ୍ରଭାବରେ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ପରେ ଏହା ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳକୁ ଆସି ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ୨୨ ତାରିଖ ସୁଦ୍ଧା ଏହି ସିଷ୍ଟମ ଡିପ୍ରେସନ୍ କିମ୍ବା ଡିପ୍ ଡିପ୍ରେସନରେ ପରିଣତ ହୋଇପାରେ । ଏହାପରେ ଅନୁକୂଳ ପାଣିପାଗ ପରିସ୍ଥିତି ମିଳିଲେ ସିଷ୍ଟମ ଆହୁରି ଶକ୍ତିଶାଳୀ ହୋଇ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଏପରି ହେଲେ ଏହା ୨୦୨୬ର ପ୍ରଥମ ଟ୍ରପିକାଲ ସାଇକ୍ଲୋନ୍ ହେବ । ସମ୍ଭାବ୍ୟ ସିଷ୍ଟମ ଯୋଗୁଁ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ଉପକୂଳ ଉପରେ ନଜର ରହିଛି ।
ତେବେ ସିଷ୍ଟମ ଏପର୍ଯ୍ୟନ୍ତ ପୂର୍ଣ୍ଣ ରୂପ ନେଇନଥିବାରୁ ଏହାର ଗତିପଥ, ତୀବ୍ରତା ଓ ସମ୍ଭାବ୍ୟ ଲ୍ୟାଣ୍ଡଫଲ୍ ସ୍ଥାନ ସମ୍ପର୍କରେ ଏବେ ନିର୍ଦ୍ଦିଷ୍ଟ ଭାବେ କହିବା ଶୀଘ୍ର ହେବ । ଅନ୍ୟପଟେ, ଭାରତୀୟ ପାଣିପାଗ ବିଭାଗ (IMD) ମଧ୍ୟ ଉତ୍ତର ଆଣ୍ଡାମାନ ସାଗର ଓ ଏହାର ଆଖପାଖରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଦର୍ଶାଇଛି । IMD ବୁଲେଟିନ୍ ଅନୁସାରେ, ସିଷ୍ଟମ ଧୀରେ ଧୀରେ ଘନୀଭୂତ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଦକ୍ଷିଣ ଓଡ଼ିଶା–ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରିପାରେ ।
ତେବେ IMD ଏପର୍ଯ୍ୟନ୍ତ ଏହା ବାତ୍ୟାରେ ପରିଣତ ହେବ ବୋଲି ନିଶ୍ଚିତ କରିନାହିଁ । ସିଷ୍ଟମ ଲଘୁଚାପ ଓ ପରେ ଡିପ୍ରେସନର ରୂପ ନେବା ପରେ ଏହାର ଗତିପଥ ଓ ଶକ୍ତି ସମ୍ପର୍କରେ ଅଧିକ ସ୍ପଷ୍ଟ ଚିତ୍ର ମିଳିପାରିବ। ଯଦି ସିଷ୍ଟମଟି ଶେଷରେ Cyclonic Storm ଶ୍ରେଣୀରେ ପହଞ୍ଚେ ଏବଂ ନାମକରଣ ହୁଏ, ତେବେ ଏହାର ନାମ ‘Arnab’ (ଅର୍ଣ୍ଣବ) ରହିବ । ଏହି ନାମ ବାଂଲାଦେଶ ପକ୍ଷରୁ ପ୍ରସ୍ତାବ କରାଯାଇଛି ।

