କଟକ, (୨୩/୧୦) : ଆପ୍ର : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ)ର ମୁଖ୍ୟ ଲିଖିତ ପରୀକ୍ଷା ଆସନ୍ତା ୨୯ ତାରିଖ ଠାରୁ ଆରମ୍ଭ ହେବ ।
ରାଜ୍ୟର ପ୍ରାୟ ୫୬୯୦ ଜଣ ପରୀକ୍ଷାର୍ଥୀ ଉକ୍ତ ପରୀକ୍ଷା ଦେବେ । ବିଭିନ୍ନ ଜୋନରେ ଓପିଏସ୍ସି ପକ୍ଷରୁ ପରୀକ୍ଷା ହେବାକୁ ଥିବାବେଳେ ନଭେମ୍ବର ୭ ତାରିଖରେ ଏହା ଶେଷ ହେବ । ପୂର୍ବାହ୍ଣ ୯ଟାରୁ ମଧ୍ୟାହ୍ନ ୧୨ଟା ଏବଂ ଅପରାହ୍ଣ ୨ଟାରୁ ୫ଟା ପର୍ଯ୍ୟନ୍ତ ଦୁଇଟି ସିଟିଂରେ ଏହି ପରୀକ୍ଷା କରାଯିବ । ଏଥିପାଇଁ ଶୁକ୍ରବାର ଠାରୁ ପରୀକ୍ଷାର୍ଥୀ ଆଡମିଟ୍ କାର୍ଡ ପାଇପାରିବେ । ଏ ନେଇ ଓପିଏସ୍ସି ପକ୍ଷରୁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି ।
ଓପିଏସ୍ସି ପକ୍ଷରୁ ଜୁନ୍ ୭ରେ ଓସିଏସ ପ୍ରିଲିମ୍ନାରୀ ପରୀକ୍ଷା କରାଯାଇଥିଲା । କଟକ, ବାଲେଶ୍ବର, ଭୁବନେଶ୍ବର, ବ୍ରହ୍ମପୁର, ସମ୍ବଲପୁର ଓ ଜୟପୁର ଜୋନର ବିଭିନ୍ନ ପରୀକ୍ଷା କେନ୍ଦ୍ର ଆଶାୟୀ ପରୀକ୍ଷା ଦେଇଥିଲେ । ଜୁଲାଇ ୧୦ ତାରିଖରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଏଥିରେ ୫୬୯୦ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଥିବାବେଳେ ତନ୍ମଧ୍ୟରୁ ୧୯୦୫ ମହିଳା ପ୍ରାର୍ଥୀ ରହିଥିଲେ । ଉକ୍ତ କୃତୀ ପରୀକ୍ଷାର୍ଥୀ ଆସନ୍ତା ୨୯ରୁ ମୁଖ୍ୟ ଲିଖିତ ପରୀକ୍ଷା ଦେବେ । ପ୍ରଥମ ଦିନରେ ଓଡ଼ିଆ ଓ ଇଂରାଜୀ ବିଷୟରେ ପରୀକ୍ଷା ଅନୁଷ୍ଠିତ ହେବ । ସେହିଭଳି ୩୦ ତାରିଖରେ ରଚନା, ନଭେମ୍ବର ୨ରେ ଜେନେରାଲ ଷ୍ଟଡିଜ୍ ପେପର- ୧, ୨ ଓ ୩, ୪ ତାରିଖରେ ଜେନେରାଲ ଷ୍ଟଡିଜ୍ ପେପର ୩, ୪ ଓ ୫ ଏବଂ ୭ ତାରିଖରେ ବିଭିନ୍ନ ଇଚ୍ଛାଧୀନ ବିଷୟଗୁଡ଼ିକରେ ପରୀକ୍ଷା କରାଯିବ । ଏ ନେଇ ସବିଶେଷ ପରୀକ୍ଷା ସୂଚୀ ଓପିଏସ୍ସି ୱେବସାଇଟ୍ରେ ଜାରି କରାଯାଇଛି ।

