ରାୟଗଡ଼ା, (୨୨/୦୬) : ଆପ୍ର : ଇନ୍ତାଲିଗୁଡାରେ ଫ୍ଲାଗ ମାର୍ଚ୍ଚ। ଭିଡ଼ ହିଂସା ଘଟଣା ପରେ ରାୟଗଡ଼ା କଲ୍ୟାଣସିଂହପୁରରେ ପୋଲିସର ଫ୍ଲାଗ ମାର୍ଚ୍ଚ ।
ସ୍ଥିତି ସ୍ବାଭାବିକ ରଖିବା ଏବଂ ସାଧାରଣ ଲୋକଙ୍କ ମନରେ ଆଇନ ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଏସପିଙ୍କ ନିର୍ଦ୍ଦେଶକ୍ରମେ କଲ୍ୟାଣସିଂହପୁର ଥାନା ପରିସରରୁ ଆରମ୍ଭ ହୋଇ ଷ୍ଟେଟ ବ୍ୟାଙ୍କ ଛକ ପର୍ଯ୍ୟନ୍ତ ଫ୍ଲାଗ ମାର୍ଚ୍ଚ ହୋଇଥିଲା । ପୋଲିସ ଅଧିକାରୀ ଓ କର୍ମଚାରୀମାନେ ସାଧାରଣ ଲୋକଙ୍କୁ ଗୁଜବରେ ବିଶ୍ୱାସ ନ କରିବା, କୌଣସି ଅପ୍ରମାଣିତ ସୂଚନା ପ୍ରଚାର ନ କରିବା ଏବଂ ଆଇନକୁ ନିଜ ହାତକୁ ନ ନେବା ପାଇଁ ସଚେତନ କରିଥିଲେ । ପିଲା ଚୋରି ସନ୍ଦେହକୁ କେନ୍ଦ୍ର କରି କଲ୍ୟାଣସିଂହପୁର ଅଞ୍ଚଳରେ ଭିଡ଼ ହିଂସା ଘଟିଥିବା ବେଳେ ଏପରି ଘଟଣାର ପୁନରାବୃତ୍ତି ରୋକିବା ଓ ଶାନ୍ତି-ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।
ଯେକୌଣସି ସନ୍ଦେହଜନକ ଘଟଣା ସମ୍ପର୍କରେ ତୁରନ୍ତ ପୋଲିସକୁ ଅବଗତ କରିବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି । ଏହି ମାମଲାରେ ଏଯାଏ ୨୩ ଜଣ ଗିରଫ ହୋଇଛନ୍ତି। ଅନ୍ୟ ଫେରାରଙ୍କୁ ଗିରଫ କରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି । ଘଟଣାର ସମ୍ବେଦନଶୀଳକୁ ଦୃଷ୍ଟିରେ ରଖି ଏହାକୁ ରେଡ ଫ୍ଲାଗ ମାମଲା ଅନ୍ତର୍ଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି ୱାଇ ବି ଖୁରାନିଆ । ଏବେ କ୍ରାଇମବ୍ରାଞ୍ଚର CAW ଏଡିଜି ଏସ ସାଇନିଙ୍କ ନେତୃତ୍ବରେ ହେବ ତଦନ୍ତ । ଆବଶ୍ୟକ ପଡ଼ିଲେ ଟିମ ଦିଲ୍ଲୀ ଯାଇ ଯୁବତୀଙ୍କୁ ପଚରାଉଚରା କରିବାକୁ ଯୋଜନା ରହିଛି ।

