ମୁରିବାହାଲ, (୮/୭) : ଆପ୍ର : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲଖନା ପଞ୍ଚାୟତ ନିକଟରେ ବୁଧବାର ସକାଳେ ଏକ ସିମେଣ୍ଟ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି ।
ଘଟଣାରେ କୌଣସି ଜୀବନହାନି ଘଟିନଥିବା ବେଳେ ଟ୍ରକର ହେଲ୍ପର ସାମାନ୍ୟ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଛତିଶଗଡ଼ର କିଲଡାନେହେରୁଆ ଅଞ୍ଚଳରୁ ପ୍ରାୟ ୭୦୦ ବସ୍ତା ସିମେଣ୍ଟ ନେଇ ଟ୍ରକ ନମ୍ବର ସିଜି -୦୪-କ୍ଯୁଏନ-୬୦୭୯ କଣ୍ଟାମାଳ ଅଞ୍ଚଳକୁ ଯାଉଥିଲା । ବୁଧବାର ସକାଳ ପ୍ରାୟ ୪ଟା ୩୦ ମିନିଟ୍ ସମୟରେ ଲଖନା ପଞ୍ଚାୟତଠାରୁ କିଛି ଦୂରେ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡ଼ିଥିଲା । ଦୁର୍ଘଟଣାରେ ଟ୍ରକର ହେଲ୍ପର ସାମାନ୍ୟ ଆହତ ହୋଇଥିବାରୁ ଗାଡ଼ି ମାଲିକ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ। ଚାଳକ ସୁରକ୍ଷିତ ଥିବା ଜଣାପଡ଼ିଛି । ଘଟଣା ସମ୍ପର୍କରେ ସୂଚନା ପାଇ ମୁରିବାହାଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଟ୍ରକୁ ଜବତ କରି ତଦନ୍ତ ଜାରି ରଖିଛି ।

