ସୁବର୍ଣ୍ଣପୁର (୧୨/୧୧) : ଆପ୍ର : ଆସନ୍ତା ଜାନୁଆରୀ ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲାସ୍ତରୀୟ ଲୋକ ମହୋତ୍ସବ ଆୟୋଜିତ ହେବ ।
ଏଥିସହ ଜାନୁଆରୀ ୭ରୁ ୧୫ ତାରିଖ ପର୍ଯ୍ୟନ୍ତ ପୁସ୍ତକ ମେଳା ଓ ଓରମାସ୍ ପଲିଶ୍ରୀ ମେଳା ମଧ୍ୟ ଆୟୋଜିତ ହେବ। ଏହାର ପ୍ରସ୍ତୁତି ନିମନ୍ତେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଦେବାଶିଷ ସିଂହଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ନାଗରିକ, କଳାକାର, ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି, ସାଂସ୍କୃତିକ ଦଳ ଓ ଶିକ୍ଷକମାନେ ଯୋଗଦେଇଥିଲେ ।
ବୈଠକରେ ଉପସ୍ଥିତ ସଦସ୍ୟମାନଙ୍କ ମତାମତ ଓ ଅଧିକାଂଶଙ୍କ ସମ୍ମତିକ୍ରମେ ମହିମା ଲୋକ ମହୋତ୍ସବର ନାମ ପରିବର୍ତ୍ତନ କରାଯାଇ ସୁବର୍ଣ୍ଣ ଲୋକ ମହୋତ୍ସବ ରଖାଯାଇଛି । ପୁସ୍ତକ ମେଳାରେ ସ୍ଥାନୀୟ ଲେଖକମାନଙ୍କ ପାଇଁ ୩ରୁ ୪ଟି ଷ୍ଟଲ୍ ଓ ଶିଶୁମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଷ୍ଟଲ୍ ରହିବ । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ପ୍ରକାଶକମାନେ ଏଥିରେ ଅଂଶଗ୍ରହଣ କରିବେ। ମହୋତ୍ସବରେ ଜାନୁଆରୀ ୭ରୁ ୧୧ ପର୍ଯ୍ୟନ୍ତ ସାଂସ୍କୃତିକ ଦଳମାନେ କାର୍ଯ୍ୟକ୍ରମ ପରିବେଷଣ କରିବେ ଏବଂ ପରବର୍ତ୍ତୀ ୪ ଦିନ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିବ । ଶାସ୍ତ୍ରୀୟ ନୃତ୍ୟ ରେକର୍ଡିଂ ମାଧ୍ୟମରେ ଏବଂ ଅନ୍ୟ ସମସ୍ତ ନୃତ୍ୟ ସିଧାସଳଖ ମଞ୍ଚରେ ପରିବେଷଣ କରାଯିବ ।
ମହୋତ୍ସବର ଉଦ୍ଘାଟନୀ ଶୋଭାଯାତ୍ରା ପାଇଁ ସୁରେଶ୍ୱରୀ ମନ୍ଦିରରୁ ମଶାଲ ଏବଂ ସୁବର୍ଣ୍ଣମେରୁ ମନ୍ଦିରରୁ ଆଜ୍ଞାମାଳ ଅଣାଯିବ। ଗତବର୍ଷ ଖୋଲିଆପାଲିରୁ ମଶାଲ ଅଣାଯାଇଥିଲା। ଚଳିତବର୍ଷ ପାର୍କିଂ ଶୁଳ୍କ ଦୁଇଚକିଆ ଯାନ ପାଇଁ ୧୦ ଟଙ୍କା ଓ ଚାରିଚକିଆ ଯାନ ପାଇଁ ୨୦ ଟଙ୍କା ଧାର୍ଯ୍ୟ କରାଯାଇଛି।
ସଂସ୍କୃତି ଉନ୍ନୟନ ଅଧିକାରୀ ଯମୁନା ପ୍ରଧାନ ଗତବର୍ଷ ମହୋତ୍ସବ ଆୟୋଜନରେ ୮୦ ଲକ୍ଷ ଟଙ୍କା ବ୍ୟୟ ହୋଇଥିବା ସୂଚନା ଦେଇଥିଲେ । ଚଳିତବର୍ଷ ତିନୋଟି ଆୟୋଜନ ଏକ ସ୍ଥାନରେ ହେଉଥିବାରୁ ବ୍ୟୟ ବୃଦ୍ଧି ପାଇପାରେ ବୋଲି ଜିଲ୍ଲାପାଳ କହିଥିଲେ । ମହୋତ୍ସବ ପରିସରକୁ ପ୍ଲାଷ୍ଟିକ୍ ମୁକ୍ତ ରଖିବା, ଖାଦ୍ୟ ଷ୍ଟଲ୍ଗୁଡ଼ିକରେ ଖାଦ୍ୟ ସୁରକ୍ଷା ନିୟମ ପାଳନ, ମୋବାଇଲ୍ ଏଟିଏମ୍ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ଶୌଚାଳୟର ନିୟମିତ ସଫେଇ ଓ ସୁରକ୍ଷା ସହ ତାଜା ପୁଷ୍ପଗୁଚ୍ଛ ଯୋଗାଣ ନିମନ୍ତେ ସମ୍ପୃକ୍ତ ବିଭାଗଗୁଡ଼ିକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଅନିରୁଦ୍ଧ ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଅଶ୍ୱିନୀ ମେହେର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ କେ.କେ. ହରିପ୍ରସାଦ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଉଷାରାଣୀ ଦାସ, ସୋନପୁର ଉପଜିଲ୍ଲାପାଳ ଡ. ସୌମ୍ୟରୂପା ରଥ, ବୀରମହାରାଜପୁର ଉପ ଜିଲ୍ଲାପାଳ ସୁରେନ୍ଦ୍ର ମେହେରଙ୍କ ସମେତ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ । ସଂସ୍କୃତି ଉନ୍ନୟନ ଅଧିକାରୀ ଯମୁନା ପ୍ରଧାନ ବୈଠକର ସଂଯୋଜନା କରିଥିଲେ ।

