ବରଗଡ଼, (୨୧/୧୦) : ଆପ୍ର : ବରଗଡ଼ ଜିଲ୍ଲା ଅତାବିରା ଥାନା ଅଞ୍ଚଳରେ ଏକ ଅଭାବନୀୟ ତଥା ରକ୍ତାକ୍ତ କାଣ୍ଡ ଘଟିଯାଇଛି। ସାମାନ୍ୟ ଟଙ୍କା କାରବାର ବିବାଦକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଛୁରିରେ ଗଳା କାଟି ଓ ନିର୍ମମ ଭାବେ ଛୁରା ଭୁସି ହତ୍ୟା କରାଯାଇଛି ।
ମୃତ ଯୁବକ ଜଣକ ହେଲେ ଅତାବିରା ବସ୍ତିର ଶିବା ବିଶ୍ଵାଳ (୨୩) । ଏହି ଘଟଣାରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ସେମାନଙ୍କ ଠାରୁ ଏକ ଛୁରା ମଧ୍ୟ ଜବତ କରିଛି । ଗିରଫ ଅଭିଯୁକ୍ତ ଦ୍ଵୟ ହେଲେ ଭୋଇପୁରାର ଦୀପକ ପଞ୍ଚମ (୨୨) ଓ ଘସିଆପଡ଼ା ର ସାହିଲ ଡୁଙ୍ଗୁରି (୨୩) । ଘଟଣାରୁ ପ୍ରକାଶ ଯେ, ଅତାବିରାରୁ ଭୋଇପୁରାକୁ ସଂଯୋଗ କରୁଥିବା ରାସ୍ତାର ପୋଲ ନିକଟରେ କିଛି ଟଙ୍କା ନେଣଦେଣକୁ କେନ୍ଦ୍ର କରି ଶିବା ଏବଂ ଅଭିଯୁକ୍ତ ଦ୍ଵୟଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା । ଟଙ୍କା ମାଗିବା ବେଳେ ଗାଳିଗୁଲଜ ହେବାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇ ମାରପିଟ୍ର ରୂପ ନେଇଥିଲା ।
ଏଥିରେ ଉତ୍ତ୍ୟକ୍ତ ହୋଇ ଦୁଇ ଅଭିଯୁକ୍ତ ଏକ ଧାରୁଆ ଛୁରିରେ ଶିବାଙ୍କ ଗଳା କାଟି ଦେବା ସହ ତାଙ୍କ ଶରୀରର ବିଭିନ୍ନ ସ୍ଥାନକୁ ନିର୍ମମ ଭାବେ ଭୁସି ଦେଇଥିଲେ । ଆକ୍ରମଣ ପରେ ଶିବା ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଘଟଣାସ୍ଥଳରେ ପଡ଼ି ରହିଥିଲେ । ଖବର ପାଇ ଅତାବିରା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଅତାବିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ଶବ ବ୍ୟବଚ୍ଛେଦ ପାଇଁ ଖେଦାପାଲି ଡାକ୍ତରଖାନାକୁ ପଠାଯାଇଥିଲା ।
ଏହି ଘଟଣାକୁ ନେଇ ମୃତକଙ୍କ ପରିବାର ବର୍ଗ ଅତାବିରା ଥାନାରେ ପହଞ୍ଚି ଉତ୍ତେଜନା ପ୍ରକାଶ କରିବା ସହ ନ୍ୟାୟ ଦାବି କରିଛନ୍ତି । “ଯଦି ପୁଅ ପଇସା ଧାର କରିଥିଲା, ତେବେ ଆମକୁ କହିଥିଲେ ଆମେ ଦେଇଥାନ୍ତୁ; କିନ୍ତୁ ସାମାନ୍ୟ କିଛି ଟଙ୍କା ପାଇଁ ଜୀବନରୁ ମାରିଦେବା କେତେଦୂର ଯଥାର୍ଥ?” ବୋଲି କହି ପରିବାର ଲୋକେ କାନ୍ଦିବୋବାଇ ହତ୍ୟାକାରୀଙ୍କ ବିରୋଧରେ କଠୋର ଦଣ୍ଡାଦେଶ ଦାବି କରିଛନ୍ତି । ପୋଲିସ ଏ ନେଇ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

