Homelocalସଡ଼କ ଦୁର୍ଘଟଣାଜନିତ ‘ଶୂନ ମୃତ୍ୟୁ ସପ୍ତାହ’, ପ୍ରଥମ ଦିନରେ ୪୪,୭୪୬ଟି ଇ-ଚାଲାଣ ଜାରି

ସଡ଼କ ଦୁର୍ଘଟଣାଜନିତ ‘ଶୂନ ମୃତ୍ୟୁ ସପ୍ତାହ’, ପ୍ରଥମ ଦିନରେ ୪୪,୭୪୬ଟି ଇ-ଚାଲାଣ ଜାରି

କଟକ, (୦୩/୦୯) : ଆପ୍ର : ପ୍ରତି ମାସର ଆରମ୍ଭ ଜୀବନ ରକ୍ଷା ସଂକଳ୍ପ ସହ । ଏଥିପାଇଁ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ବ୍ୟାପକ କରିବାକୁ ନିଷ୍ପତ୍ତି ହୋଇଛି ।

ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ କରିବା ଏବଂ ସଡ଼କ ସୁରକ୍ଷା ନିୟମର କଡ଼ା ଅନୁପାଳନ ନିଶ୍ଚିତ କରିବା ଲକ୍ଷ୍ୟରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏହିକ୍ରମରେ ସଡ଼କ ଦୁର୍ଘଟଣାଜନିତ ‘ଶୂନ ମୃତ୍ୟୁ ସପ୍ତାହ’ ଆରମ୍ଭ ହୋଇଯାଇଛି । ସେପ୍ଟେମ୍ବର ୨୦୨୬ ରୁ ମାର୍ଚ୍ଚ ୨୦୨୭ ପର୍ଯ୍ୟନ୍ତ ପ୍ରତି ମାସର ପ୍ରଥମ ସପ୍ତାହରେ ପାଳନ ହେବାକୁ ଥିବା ଏହି ସଡ଼କ ସୁରକ୍ଷା ଅଭିଯାନର ପ୍ରଥମ ଦିନରେ ଏନଫୋର୍ସମେଣ୍ଟ ଦ୍ୱାରା ମୋଟ ୪୪,୭୪୬ଟି ଇ-ଚାଲାଣ ଜାରି କରାଯାଇଛି ।

ଏହି ଯାଞ୍ଚ ପ୍ରକ୍ରିୟାରେ ବିନା ହେଲମେଟ୍ ପାଇଁ ୨୫,୨୮୨, ଦ୍ରୁତଗତି ପାଇଁ ୪,୧୬୦, ଟ୍ରିପଲ୍ ରାଇଡିଂ ପାଇଁ ୧,୩୮୩ ଏବଂ ବୈଧ ବୀମା ନଥାଇ ଗାଡ଼ି ଚଲାଇବା ଯୋଗୁଁ ୧୨୧୬ ଗାଡ଼ି ବିରୋଧରେ ଇ-ଚାଲାଣ ଜାରି ହୋଇଛି। ଏହା ସହିତ ବିନା ସିଟବେଲ୍ଟରେ ଗାଡ଼ି ଚାଳନା ଯୋଗୁଁ ୭୦୩ଟି, ବିନା ପରମିଟରେ ୫୪୯, ବିପରୀତ ଦିଗରେ ଗାଡ଼ି ଚାଳନା ପାଇଁ ୧୫୭, ମଦ୍ୟପାନ କରି ଗାଡ଼ି ଚାଳନା ଯୋଗୁଁ ୯୧ ଏବଂ ଅନ୍ୟାନ୍ୟ ମୋଟର ଯାନ ନିୟମ ଉଲ୍ଲଙ୍ଘନ ପାଇଁ ୫୦୦ରୁ ଊର୍ଦ୍ଧ୍ୱ ଚାଲାଣ ଜାରି ହୋଇଛି ।

ଝାରସୁଗୁଡ଼ା ଆରଟିଓଙ୍କ ପକ୍ଷରୁ ୫୭୧ଟି ଚାଲାଣ ଜାରି ହୋଇଥିବା ବେଳେ କଟକ ଆରଟିଓ ୫୧୬ଟି, ପୁରୀ ଆରଟିଓ ୫୧୧ଟି, ଗଞ୍ଜାମ ଆରଟିଓ ୪୧୫ଟି ଏବଂ ଭୁବନେଶ୍ୱର-୧ ଆରଟିଓ ପକ୍ଷରୁ ୪୧୦ଟି ଚାଲାଣ ଜାରି କରାଯାଇଛି । ସଡ଼କ ସୁରକ୍ଷା ପାଇଁ ନିୟମ ଗୁଡ଼ିକର କଡ଼ାକଡ଼ି ଅନୁପାଳନ ସହ ସଚେତନତା ସୃଷ୍ଟି କରିବାକୁ ମଧ୍ୟ ଏହି ସମୟରେ ସର୍ବାଧିକ ପ୍ରାଥମିକତା ଦିଆଯାଇଛି । ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ସହଭାଗିତାରେ ସଡ଼କ ସୁରକ୍ଷା ନିୟମ ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ପରିବହନ ବିଭାଗ, ପୋଲିସ ବିଭାଗ ଓ ଅନ୍ୟ ସମ୍ପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି କ୍ରମରେ ଅଭିଯାନର ପ୍ରଥମ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗାଡ଼ି ଚାଳକମାନଙ୍କୁ ସଡ଼କ ସୁରକ୍ଷା ନିୟମ ପାଳନର ଆବଶ୍ୟକତା ସମ୍ପର୍କରେ ବୁଝାଯାଇଥିଲା । ବିଶେଷ କରି ସୋନପୁର, ଭଦ୍ରକ, ତାଳଚେର ଏବଂ ଯାଜପୁର ଭଳି ସ୍ଥାନଗୁଡ଼ିକରେ ପରିବହନ ବିଭାଗ ଓ ଗାଡ଼ିଚାଳକ ମହାସଂଘର ମିଳିତ ଆନୁକୂଲ୍ୟରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏନଫୋର୍ସମେଣ୍ଟ ଓ ସଚେତନତା ସହିତ ରୋଡ୍ ଇଞ୍ଜିନିୟରିଂ ଏବଂ ଜରୁରୀକାଳୀନ ଚିକିତ୍ସା ଉପରେ ମଧ୍ୟ ବିଶେଷ ଗୁରୁତ୍ଵ ଦିଆଯାଇଛି । ରାଜ୍ୟର ସମସ୍ତ ଦୁର୍ଘଟଣା ପ୍ରବଣ ମାର୍ଗ ତଥା ‘ବ୍ଲାକସ୍ପଟ୍’ ଗୁଡ଼ିକ ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖାଯାଇଛି । ଅଧିକ ଦୁର୍ଘଟଣା ଘଟୁଥିବା ଜିଲ୍ଲାଗୁଡ଼ିକରେ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ମିଳିତ ଭାବେ ବ୍ୟାପକ ଚେକିଂ କରାଯିବ। ଜାତୀୟ ରାଜପଥ ପ୍ରାଧିକରଣ ମଧ୍ୟ ଏନଏଚରେ ବିପଜ୍ଜନକ ସ୍ପଟ ଗୁଡ଼ିକର ଆବଶ୍ୟକୀୟ ସୁଧାର ପାଇଁ ପଦକ୍ଷେପ ନେବେ ।

ସ୍ଵାସ୍ଥ୍ୟ ବିଭାଗର ସହଭାଗିତାରେ ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯାଇଛି, ଯେପରି ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ କିଭଳି ଅତି ଶୀଘ୍ର ଚିକିତ୍ସା ସେବା ଯୋଗାଇ ଦିଆଯାଇ ସେମାନଙ୍କ ଅମୂଲ୍ୟ ଜୀବନ ରକ୍ଷା କରାଯାଇପାରିବ । ଦୁର୍ଘଟଣାଗ୍ରସ୍ତ ଲୋକେ ଯେପରି ପିଏମ୍ ରାହତ ଯୋଜନା ମାଧ୍ୟମରେ ବିନା କୌଣସି ବାଧାରେ ସମସ୍ତ ଚିକିତ୍ସା ସୁବିଧା ପାଇପାରିବେ, ତାହା ନିଶ୍ଚିତ କରାଯାଉଛି । ଏହା ବ୍ୟତୀତ, ଯେଉଁ ସହୃଦୟ ବ୍ୟକ୍ତିମାନେ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କ ଜୀବନ ବଞ୍ଚାଇବେ, ସେମାନଙ୍କୁ ସରକାରଙ୍କ ପକ୍ଷରୁ ‘ରାହାବୀର’ ଏବଂ ‘ଗୁଡ୍ ସମରିଟାନ’ ଭଳି ପୁରସ୍କାରରେ ସମ୍ମାନିତ କରାଯିବ । ସଡ଼କ ଦୁର୍ଘଟଣା ହ୍ରାସ କରିବାକୁ ସଡ଼କ ସୁରକ୍ଷା ନିୟମ ପାଳନ କରିବାକୁ ହେବ । ତେଣୁ ଏଦିଗରେ ସହଯୋଗ ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments