ନବରଙ୍ଗପୁର, (୦୬/୦୭) : ଆପ୍ର : ନବରଙ୍ଗପୁର ରାଜ୍ୟ ଅଖିଳଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନ ଓ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ, ବିଭିନ୍ନ ମହଳର ଚେତାବନୀ ଓ ହସ୍ତକ୍ଷେପ ପରେ ନବରଙ୍ଗପୁର ଜିଲ୍ଲାର ଦୀର୍ଘ ବର୍ଷରୁ ଅଟକି ରହିଥିବା ବହୁ ପ୍ରତୀକ୍ଷିତ ପ୍ରାଥମିକ ଶିକ୍ଷକ ପଦୋନ୍ନତି ତାଲିକା ପ୍ରକାଶ ପାଇଛି ।
ତେବେ ପ୍ରକାଶିତ ସାରଣୀରେ ୧୧.୦୨.୨୦୧୧ ତାରିଖରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଶିକ୍ଷକମାନଙ୍କୁ ସ୍ତମ୍ଭ–୨୧ରେ ୟୁ.ପି.ଏସ୍. (UPS) ଭାବେ ସ୍ଥାନିତ କରାଯାଇ ନଥିବାରୁ ସଂଘ ପକ୍ଷରୁ ଏହାର ତ୍ରୁଟି ସଂଶୋଧନ ଦାବି କରାଯାଇଛି । ନବରଙ୍ଗପୁର ଜିଲ୍ଲାରେ ପ୍ରାୟ ୮ ହଜାର ଶିକ୍ଷକ-ଶିକ୍ଷୟିତ୍ରୀ ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ଅଛନ୍ତି । ୨୦୨୧ ମସିହାରୁ ପ୍ରାଥମିକ ଶିକ୍ଷକଙ୍କ ପଦୋନ୍ନତି ଶିକ୍ଷା ପ୍ରଶାସକଙ୍କ ବୈମାତୃକ ମନୋଭାବ ଯୋଗୁଁ ଅଟକି ରହିଥିଲା । ୨୦୨୩ ମସିହାରେ ତତ୍କାଳୀନ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ସରକାରଙ୍କ ଇଙ୍ଗିତରେ ବହୁ ଅର୍ଥ ଓ ପ୍ରିୟାପ୍ରୀତି ତୋଷଣ ଆଧାରରେ କେବଳ ଦୁଇରୁ ଚାରିଟି ଜିଲ୍ଲାକୁ ବରିଷ୍ଠତା ଭିତ୍ତିରେ ପଦୋନ୍ନତି ଦେଇଥିବା ବେଳେ ଅନ୍ୟ ଆଠରୁ ନଅଟି ଜିଲ୍ଲାରେ ବି.ଏଡ୍.କୁ ପାଥେୟ କରି ହେଡପଣ୍ଡିତ ଲେଭେଲ–୩ ପଦକୁ ପଦୋନ୍ନତି ଦିଆଯାଇଥିବା ଅଭିଯୋଗ କରାଯାଇଛି ।
ସଂଘ ଅଭିଯୋଗ କରିଛି ଯେ, ଓଡ଼ିଶାର ଗୋଟିଏ ଜିଲ୍ଲାରେ ନିୟମାନୁଯାୟୀ ପଦୋନ୍ନତି ଦିଆଯାଇଥିବା ବେଳେ ଅନ୍ୟ ଜିଲ୍ଲା ଗୁଡ଼ିକରେ ବି.ଏସି.ଟି. ଶିକ୍ଷକମାନଙ୍କୁ ବଳି ଦେଇ ଭୁଲ ପଦୋନ୍ନତି ପ୍ରଦାନ କରାଯାଇଥିଲା । ଏହା ବିରୋଧରେ ଅନେକ ଶିକ୍ଷକ ମାନ୍ୟବର ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇ ସଫଳତା ହାସଲ କରିଥିଲେ । କିନ୍ତୁ ପରେ ତତ୍କାଳୀନ ଶିକ୍ଷା ନିର୍ଦ୍ଦେଶକ ସରକାରଙ୍କ ପକ୍ଷରୁ ଡବଲ ବେଞ୍ଚରେ ମାମଲା ଦାଖଲ କରି ଏହାକୁ ଆଜି ପର୍ଯ୍ୟନ୍ତ ଝୁଲନ୍ତା ଅବସ୍ଥାରେ ରଖିଥିବା ସଂଘ ଅଭିଯୋଗ କରିଛି ।
ସଂଘ ଆହୁରି କହିଛି ଯେ, ତତ୍କାଳୀନ ଶିକ୍ଷା ନିର୍ଦ୍ଦେଶକ ଓ ସରକାରଙ୍କ “ଶିକ୍ଷକ ମାରଣ ନୀତି” ଏବଂ ଶିକ୍ଷକମାନଙ୍କୁ ମାନସିକ, ଆର୍ଥିକ ଓ ଶାରୀରିକ ତାଡ଼ନା ଦେବା ନୀତିର ତଦନ୍ତ ପାଇଁ ବହୁବାର ଦାବି କରାଯାଇଥିଲେ ମଧ୍ୟ ନୂତନ ସରକାର ଏହା ପ୍ରତି ଗୁରୁତ୍ୱ ଦେଇ ନଥିବା ଅଭିଯୋଗ କରାଯାଇଛି । ନ୍ୟାୟ ପ୍ରଦାନରେ ବିଳମ୍ବ ହେବାରୁ ଅନେକ ଶିକ୍ଷକ ଅବସର ଗ୍ରହଣ କରିଥିବା ବେଳେ କେତେକଙ୍କ ମୃତ୍ୟୁ ମଧ୍ୟ ଘଟିଛି ଏବଂ ସେମାନଙ୍କ ପରିବାର ଆର୍ଥିକ ଓ ସାମାଜିକ କ୍ଷତି ସହି ଆସୁଛନ୍ତି ।
ପ୍ରାଥମିକ ଶିକ୍ଷକ ସଂଘ ଅଭିଯୋଗ କରିଛି ଯେ, ଓଡ଼ିଶା ପରି ଏକ ସଂସ୍କାରସମ୍ପନ୍ନ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବିଭିନ୍ନ ନିୟମ ଓ ଆଇନକୁ ଉଲଂଘନ କରି ପଦୋନ୍ନତି ପ୍ରଦାନ କରାଯାଇଛି ଏବଂ ତତ୍କାଳୀନ ଶିକ୍ଷା ନିର୍ଦ୍ଦେଶକ ସମସ୍ତ ପଦୋନ୍ନତି ତାଲିକାକୁ ଅନୁମୋଦନ କରିଥିଲେ । ଏହାର ସମ୍ପୂର୍ଣ୍ଣ ତଦନ୍ତ କରିବା ପାଇଁ ସଂଘ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛି । ଏଥିସହ ଯେଉଁ ତାରିଖରୁ ଅନ୍ୟ ଜିଲ୍ଲାଗୁଡ଼ିକରେ ବରିଷ୍ଠତା ଭିତ୍ତିରେ ପଦୋନ୍ନତି ପ୍ରଦାନ କରାଯାଇଛି, ସେହି ତାରିଖରୁ ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ପଦୋନ୍ନତି ଦେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ସଂଘ ଅନୁରୋଧ କରିଛି । ଏହା ଦ୍ୱାରା ବହୁ ସଂଖ୍ୟକ ଶିକ୍ଷକ ଉପକୃତ ହେବେ ବୋଲି ସଂଘ କହିଛି ।
ସଂଘ ପକ୍ଷରୁ କୁହାଯାଇଛି ଯେ, ମାନ୍ୟବର ମୋହନ ମାଝୀଙ୍କ ସରକାର ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଶୁଣାଣିକୁ ଆଧାର କରି ଓ. ଟି.ଇ.ଟି.କୁ ପ୍ରତ୍ୟାଖ୍ୟାନ କରି ବରିଷ୍ଠତା ଭିତ୍ତିରେ ଅସ୍ଥାୟୀ ପଦୋନ୍ନତି ଦେବାକୁ ନୀତିଗତ ନିଷ୍ପତ୍ତି ନେଇଥିଲେ । ସେହି ଅନୁଯାୟୀ ୨୮.୦୫.୨୦୨୬ ତାରିଖରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପତ୍ର ସଂଖ୍ୟା–୯୬୬୩ ମାଧ୍ୟମରେ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚାକିରି ନିଯୁକ୍ତି ତାରିଖକୁ ଆଧାର କରି ବରିଷ୍ଠତା ଭିତ୍ତିରେ ପଦୋନ୍ନତି ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ସଂଘର କହିବା ଅନୁଯାୟୀ, ୨୦୨୧ ମସିହାରେ ସହମତି ପ୍ରଦାନ କରି ବି.ଏସି.ଟି. ଶିକ୍ଷକମାନେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯୁକ୍ତ ବିଦ୍ୟାଳୟରେ ବିଷୟଭିତ୍ତିକ ଶିକ୍ଷକ ଭାବେ ଓ. ଟି.ଇ.ଟି. ବିନା ବରିଷ୍ଠତା ଭିତ୍ତିରେ ପଦୋନ୍ନତି ପାଇ ଗତ ପାଞ୍ଚ ବର୍ଷ ଧରି ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ କେଉଁ ନିୟମ ଆଧାରରେ ସେମାନଙ୍କୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ବିଦ୍ୟାଳୟକୁ ଖସାଇ ଆଣିବାକୁ ପ୍ରୟାସ କରୁଛନ୍ତି ବୋଲି ପ୍ରଶ୍ନ ଉଠାଯାଇଛି । ଏହା ଫଳରେ ଅନେକ ଉନ୍ନୀତ ବିଦ୍ୟାଳୟରେ ବିଷୟଭିତ୍ତିକ ଶିକ୍ଷକଙ୍କ ଘୋର ଅଭାବ ଦେଖାଦେବ, ଅଭିଭାବକମାନେ ବାଧ୍ୟ ହୋଇ ନିଜ ସନ୍ତାନଙ୍କୁ ବେସରକାରୀ ବିଦ୍ୟାଳୟରେ ଭର୍ତ୍ତି କରିବେ ଏବଂ ଏଥିପାଇଁ ସରକାର ବଦନାମ ହେବେ ବୋଲି ସଂଘ ସତର୍କ କରିଛି ।
ସଂଘ ଆହୁରି କହିଛି ଯେ, ନବରଙ୍ଗପୁର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବହୁବାର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିଯୁକ୍ତି ତାରିଖ ଆଧାରିତ ବରିଷ୍ଠତା ଅନୁଯାୟୀ ପଦୋନ୍ନତି ଦେବାକୁ ମୌଖିକ ଅନୁରୋଧ କରାଯାଇଥିଲା । କିନ୍ତୁ ଜିଲ୍ଲା ଶିକ୍ଷା ଅଧିକାରୀ ଓ. ଟି.ଇ.ଟି.କୁ ଆଧାର କରି ମୋ ଜ୍ଞାନ ହିସାବରେ ପଦୋନ୍ନତି ଦେବି” ବୋଲି ସଂଘର ଦାବିକୁ ପ୍ରତ୍ୟାଖ୍ୟାନ କରିଥିବା ଅଭିଯୋଗ କରାଯାଇଛି । ପରେ ସଂଘ ବାଧ୍ୟ ହୋଇ ନବରଙ୍ଗପୁର ଜିଲ୍ଲାପାଳ ଶ୍ରୀ ମହେଶ୍ୱର ସ୍ୱାଇଁ, ରାଜ୍ୟ ପ୍ରାଥମିକ ଶିକ୍ଷକ ମହାସଂଘ ଅଧ୍ୟକ୍ଷ ରମଣୀ ରଞ୍ଜନ ତ୍ରିପାଠୀ, ଅଖିଳ ଭାରତୀୟ ଭ୍ରଷ୍ଟାଚାର ବିରୋଧୀ ସଂଗଠନ, ବିଭିନ୍ନ ସାମ୍ବାଦିକ ବନ୍ଧୁ ଓ ଜିଲ୍ଲା ସଂଘର ଆଇନ ପରାମର୍ଶଦାତା ଶ୍ରୀ ରାମ ପ୍ରସାଦ ପାତ୍ରଙ୍କ ନିକଟରେ ଅଭିଯୋଗ କରିଥିଲା ।
ସେମାନଙ୍କ ହସ୍ତକ୍ଷେପ ପରେ ଜିଲ୍ଲା ଶିକ୍ଷା ଅଧିକାରୀ ନିଜର ଜିଦ୍ ପରିତ୍ୟାଗ କରି ବରିଷ୍ଠତା ଭିତ୍ତିରେ ନବରଙ୍ଗପୁର ଜିଲ୍ଲା ପ୍ରାଥମିକ ଶିକ୍ଷକ ପଦୋନ୍ନତି ତାଲିକା ପତ୍ର ସଂଖ୍ୟା–୩୮୩୭, ତାରିଖ ୦୩.୦୭.୨୦୨୬ ଅନୁଯାୟୀ ପ୍ରକାଶ କରିଥିଲେ । ଏଥିପାଇଁ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସନତ ପ୍ରହରାଜ, ସମ୍ପାଦକ କ୍ଷେତ୍ର ମୋହନ ବିଷୋୟୀ ଓ କର୍ମକର୍ତ୍ତା ମାନେ ସମସ୍ତ ସହଯୋଗୀ, ସାମ୍ବାଦିକ, ଭ୍ରଷ୍ଟାଚାର ବିରୋଧୀ ସଂଗଠନ, ଜିଲ୍ଲାପାଳ ଓ ଆଇନ ପରାମର୍ଶଦାତାଙ୍କ ପ୍ରତି ବିନମ୍ର କୃତଜ୍ଞତା ଜ୍ଞାପନ କରିଛି । ସେହି ସହିତ ପ୍ରକାଶିତ ତାଲିକାରେ ରହିଥିବା ତ୍ରୁଟିକୁ ଶୀଘ୍ର ସଂଶୋଧନ କରି ସମସ୍ତ ଯୋଗ୍ୟ ଶିକ୍ଷକଙ୍କୁ ନ୍ୟାୟସଙ୍ଗତ ବରିଷ୍ଠତା ଭିତ୍ତିକ ପଦୋନ୍ନତି ପ୍ରଦାନ କରିବାକୁ ସରକାରଙ୍କ ନିକଟରେ ଦାବି କରିଛି ।

