କଟକ, (୦୧/୦୮) : ଆପ୍ର : ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆରଆଇ । ଓଡ଼ିଶା ଭିଜିଲାନ୍ସ ଶୁକ୍ରବାର କଟକ ଜିଲ୍ଲାର ନିଆଳି ତହସିଲ ଅଧୀନ ମାଧବ ସର୍କଲର ରେଭେନ୍ୟୁ ଇନ୍ସପେକ୍ଟର କିଶୋର କୁମାର ସ୍ୱାଇଁ ଏବଂ ତାଙ୍କ ସହଯୋଗୀ ସୁକାନ୍ତ ପ୍ରଧାନଙ୍କୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କାବୁ କରିଛି ।
ଜଣେ ଆବେଦନକାରୀ ଜମିର ମ୍ୟୁଟେସନ ଓ ସଂଶୋଧିତ ପଟ୍ଟା ପାଇବା ପାଇଁ ଅନଲାଇନ୍ରେ ଆବେଦନ କରିଥିଲେ । ସରକାରୀ ନିୟମ ଅନୁଯାୟୀ କାମ ହେବା କଥା ଥିଲେ ମଧ୍ୟ ଆରଆଇ କିଶୋର କୁମାର ସ୍ୱାଇଁ ଜାଣିଶୁଣି ମାମଲାର ଫାଇଲକୁ ବିଳମ୍ବ କରୁଥିଲେ । ପରେ ମ୍ୟୁଟେସନ ମାମଲାରେ ସପକ୍ଷ ରିପୋର୍ଟ ଦେବା ଏବଂ ସଂଶୋଧିତ ଆରଓଆର ପ୍ରଦାନରେ ସହଯୋଗ କରିବା ପାଇଁ ସେ ୩୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଆବେଦନକାରୀ ଏହି ଲାଞ୍ଚ ଦେବାକୁ ଅସମର୍ଥତା ପ୍ରକାଶ କରିଥିଲେ ମଧ୍ୟ ଆରଆଇ ଟଙ୍କା ନେବାକୁ ଅଡ଼ି ବସିଥିଲେ । ଶେଷରେ ଆବେଦନକାରୀ ଓଡ଼ିଶା ଭିଜିଲାନ୍ସର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ ।
ଏହାପରେ ଭିଜିଲାନ୍ସ ପକ୍ଷରୁ ଯୋଜନାବଦ୍ଧ ଚଢ଼ାଉ କରାଯାଇ ଆରଆଇ ଓ ତାଙ୍କ ସହଯୋଗୀଙ୍କୁ ଆରଆଇଙ୍କ କାର୍ଯ୍ୟାଳୟ କକ୍ଷରେ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଥିଲା । ଉଭୟଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି । ଟ୍ରାପ ପରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଦିଗରୁ ତଦନ୍ତ ପାଇଁ ଆରଆଇଙ୍କ ସହ ସମ୍ପୃକ୍ତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି । ଏହି ଘଟଣାରେ କଟକ ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା–୭ ଅନୁଯାୟୀ ମାମଲା ରୁଜୁ ହୋଇଛି । ଉଭୟ ଅଭିଯୁକ୍ତଙ୍କ ବିରୋଧରେ ଭିଜିଲାନ୍ସର ତଦନ୍ତ ଜାରି ରହିଛି ।

