ପୁରୀ, (୨୩/୧୧) : ଆପ୍ର : ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନେଇ ପୁଣି ତତ୍ପରତା । ଆସନ୍ତା ନଭେମ୍ବର ୨୬ ଓ ୨୭ ତାରିଖରେ ରତ୍ନଭଣ୍ଡାରର ପରବର୍ତ୍ତୀ ପର୍ଯ୍ୟାୟ ଗଣତିମଣତି କରାଯିବ ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂଲ୍ୟବାନ ସୁନା, ରୁପା ଓ ଅନ୍ୟାନ୍ୟ ରତ୍ନଖଚିତ ଅଳଙ୍କାରର ସବିଶେଷ ତାଲିକା ପ୍ରସ୍ତୁତ କରିବା ଏହି ପ୍ରକ୍ରିୟାର ମୁଖ୍ୟ ଉଦ୍ଦେଶ୍ୟ । ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାରର ସଂଖ୍ୟା, ପ୍ରକାର, ଓଜନ ଓ ଅବସ୍ଥା ସମ୍ପର୍କରେ ସଠିକ୍ ତଥ୍ୟ ସଂଗ୍ରହ କରିବା ଗଣତିମଣତି ପ୍ରକ୍ରିୟାର ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହା ସହିତ ପୂର୍ବରୁ ପ୍ରସ୍ତୁତ ତାଲିକା ସହ ବର୍ତ୍ତମାନର ଅଳଙ୍କାର ତଥ୍ୟ ମେଳାଇବା ମଧ୍ୟ ଗୁରୁତ୍ୱ ବହନ କରୁଛି । ଦୀର୍ଘ ୪୬ ବର୍ଷ ପରେ ୨୦୨୪ ଜୁଲାଇ ୧୪ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଭିତର ଭଣ୍ଡାର ଖୋଲାଯାଇଥିଲା । ପରେ ଜୁଲାଇ ୧୮ ତାରିଖରେ ଭିତର ଭଣ୍ଡାରରୁ ମୂଲ୍ୟବାନ ସାମଗ୍ରୀ ସ୍ଥାନାନ୍ତର ପ୍ରକ୍ରିୟା କରାଯାଇଥିଲା । ରତ୍ନଭଣ୍ଡାରର ମରାମତି ଓ ସଂରକ୍ଷଣ କାର୍ଯ୍ୟ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରହିଛି ।
ଶେଷଥର ପାଇଁ ୧୯୭୮ ମସିହାରେ ରତ୍ନଭଣ୍ଡାରର ଅଳଙ୍କାର ଗଣତିମଣତି କରାଯାଇଥିଲା । ସେତେବେଳର ତାଲିକା ଅନୁସାରେ ଭିତର ଓ ବାହାର ରତ୍ନଭଣ୍ଡାରରେ ମୋଟ ୪୫୪ଟି ସୁନା ଅଳଙ୍କାର ଓ ସାମଗ୍ରୀ ଏବଂ ୨୯୩ଟି ରୁପା ସାମଗ୍ରୀ ରହିଥିବା ଉଲ୍ଲେଖ ଥିଲା । ତେବେ ଏହି ପୁରୁଣା ତାଲିକା ସହ ବର୍ତ୍ତମାନର ତଥ୍ୟ କେତେ ମେଳ ଖାଉଛି, ତାହା ଜାଣିବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆଗ୍ରହ ରହିଛି ।
ରତ୍ନଭଣ୍ଡାରର ଗଣତିମଣତି କେବଳ ଅଳଙ୍କାରର ହିସାବ ନୁହେଁ, ଏହା ମହାପ୍ରଭୁଙ୍କ ଅମୂଲ୍ୟ ସମ୍ପତ୍ତିର ସୁରକ୍ଷା, ସଂରକ୍ଷଣ ଓ ସ୍ୱଚ୍ଛତା ସହ ଜଡ଼ିତ। ତେଣୁ ନଭେମ୍ବର ୨୬ ଓ ୨୭ ତାରିଖର ପରବର୍ତ୍ତୀ ପର୍ଯ୍ୟାୟ ଉପରେ ସମସ୍ତଙ୍କ ନଜର ରହିବ । ଏହି ଗଣତିମଣତି ପ୍ରକ୍ରିୟା ୨୦୨୬ ମାର୍ଚ୍ଚ ୨୫ରୁ ଆରମ୍ଭ ହୋଇଥିଲା । ସରକାରଙ୍କ ଅନୁମୋଦିତ ନିୟମାବଳୀ ଅନୁସାରେ ମାଜିଷ୍ଟ୍ରେଟ୍ , ଅଧିକୃତ ସେବାୟତ, ରତ୍ନ ବିଶେଷଜ୍ଞ ଓ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଅଳଙ୍କାର ଯାଞ୍ଚ କରାଯାଉଛି । ଏଥିସହ ଫଟୋଗ୍ରାଫି, ଭିଡିଓଗ୍ରାଫି ଓ ଥ୍ରୀ-ଡି ମ୍ୟାପିଂ ମାଧ୍ୟମରେ ଡିଜିଟାଲ୍ ରେକର୍ଡ ପ୍ରସ୍ତୁତ ହେଉଛି । ଅନ୍ୟପଟେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପୂର୍ବରୁ ସ୍ପଷ୍ଟ କରିଛନ୍ତି ଯେ ରତ୍ନଭଣ୍ଡାରର ନୂଆ ତାଲିକା ପ୍ରସ୍ତୁତ ହେବ, କିନ୍ତୁ ସୁରକ୍ଷା ଓ ପରମ୍ପରା ଦୃଷ୍ଟିରୁ ଏହାକୁ ସାର୍ବଜନୀନ କରାଯିବ ନାହିଁ ।

