ସୁବର୍ଣ୍ଣପୁର, (୧୩/୦୭) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ମଉଳିମୁଣ୍ଡା ଗ୍ରାମର ବାସିନ୍ଦା ବାବୁଲାଲ କର୍ଣ୍ଣଙ୍କ ଦ୍ୱିତୀୟ ପୁତ୍ର ପପୁନ କର୍ଣ୍ଣଙ୍କ ବାସଭବନକୁ ଯାଇ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କାର ପ୍ରତୀକାତ୍ମକ ଚେକ ପ୍ରଦାନ କରିଛନ୍ତି ।
ପାପୁନଙ୍କ ବୟସ ୧୯ ବର୍ଷ ଏବଂ ସେ Duchenne Muscular Dystrophy (DMD) ନାମକ ଏକ ବିରଳ ରୋଗରେ ପୀଡ଼ିତ। ସେ ଜଣେ ମେଧାବୀ ଛାତ୍ର ଏବଂ ମାଟ୍ରିକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ମାତ୍ର ଏହି ରୋଗ ତାଙ୍କ ସମ୍ପୂର୍ଣ୍ଣ ଶରୀରକୁ ଅଚଳ କରିଦେଇଛି । ୧୦ ବର୍ଷ ବୟସ ପର୍ଯ୍ୟନ୍ତ ତାଙ୍କ ଶରୀର ସମ୍ପୂର୍ଣ୍ଣ ସୁସ୍ଥ ଥିଲା । ଏହାପରେ ଧୀରେ ଧୀରେ ଏହି ରୋଗ ତାଙ୍କ ଶରୀରକୁ ଆକ୍ରମଣ କରିଥିଲା ଏବଂ ବର୍ତ୍ତମାନ ସେ ଶଯ୍ୟାଶାୟୀ ଅବସ୍ଥାରେ ଅଛନ୍ତି ।
ପାପୁନଙ୍କ ଚିକିତ୍ସା ପାଇଁ ତାଙ୍କ ପିତାମାତା ଓଡ଼ିଶା ଏବଂ ଓଡ଼ିଶା ବାହାରର ବିଭିନ୍ନ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ସମସ୍ତ ପ୍ରକାରର ଚେଷ୍ଟା କରିଥିଲେ । ହେଲେ ସବୁଠାରୁ ସେମାନଙ୍କୁ ଗୋଟିଏ ଉତ୍ତର ମିଳିଛି ଯେ, ଏହି ରୋଗର କୌଣସି ସ୍ଥାୟୀ ଔଷଧ ନାହିଁ । ତଥାପି ପାପୁନଙ୍କ ଚିକିତ୍ସା ପାଇଁ ତାଙ୍କ ପିତାମାତାଙ୍କ ପ୍ରୟାସ ଜାରି ରହିଛି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମିଳିଥିବା ୧୦ ଲକ୍ଷ ଟଙ୍କାର ଏହି ସହାୟତା ରାଶି କୋଲକାତାର ଏକ ଡାକ୍ତରଖାନାରେ ତାଙ୍କ ଚିକିତ୍ସା କରାଇବାରେ ସହାୟକ ହେବ ।ପ୍ରତୀକାତ୍ମକ ଚେକ ପ୍ରଦାନ ସମୟରେ ଉଲୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲ୍ଲୀପ ବାଡ଼ା, ଜିଲ୍ଲାର ଭାରପ୍ରାପ୍ତ ଜରୁରୀ ଶାଖା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ପ୍ରୀତି ସୁନା ଏବଂ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

