Homelocalପୌରାଞ୍ଚଳର ବିଭିନ୍ନ ମିଠା ଦୋକାନ ଓ ଖାଦ୍ୟ ପ୍ରତିଷ୍ଠାନରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବ୍ୟାପକ...

ପୌରାଞ୍ଚଳର ବିଭିନ୍ନ ମିଠା ଦୋକାନ ଓ ଖାଦ୍ୟ ପ୍ରତିଷ୍ଠାନରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବ୍ୟାପକ ଆକସ୍ମିକ ଯାଞ୍ଚ

ବଲାଙ୍ଗିର, (୨୬/୦୮) : ଆପ୍ର : ଆଗାମୀ ରାକ୍ଷୀ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ବଲାଙ୍ଗିର ଓ ଟିଟିଲାଗଡ଼ ପୌରାଞ୍ଚଳର ବିଭିନ୍ନ ମିଠା ଦୋକାନ ଓ ଖାଦ୍ୟ ପ୍ରତିଷ୍ଠାନରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବ୍ୟାପକ ଆକସ୍ମିକ ଯାଞ୍ଚ କରାଯାଇଛି ।

ପାର୍ବଣ ସମୟରେ ମିଠା ଓ ଅନ୍ୟାନ୍ୟ ଦୁଗ୍ଧଜାତ ଦ୍ରବ୍ୟର ବହୁଳ ଚାହିଦାର ସୁଯୋଗ ନେଇ ଅସାଧୁ ବ୍ୟବସାୟୀମାନେ ଯେପରି ଅସ୍ୱାସ୍ଥ୍ୟକର କିମ୍ବା ନିମ୍ନମାନର ଖାଦ୍ୟ ବିକ୍ରି ନ କରନ୍ତି, ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା । ବଲାଙ୍ଗିର ସହରରେ ଖାଦ୍ୟ ନିରାପତ୍ତା ଟିମ୍‌ ସଦର ଥାନା ପୁଲିସର ସହଯୋଗରେ ବିଭିନ୍ନ ପ୍ରମୁଖ ଖାଦ୍ୟ ପ୍ରତିଷ୍ଠାନରେ ଯାଞ୍ଚ କରିଥିଲେ । ଏହି ସମୟରେ ବିଭିନ୍ନ ଦୋକାନରୁ ୯ଟି ଖାଦ୍ୟ ନମୁନା ସଂଗ୍ରହ କରାଯାଇ ପରୀକ୍ଷାଗାରକୁ ପଠାଯାଇଛି । ଯାଞ୍ଚ ବେଳେ ଜବତ ୪ କିଲୋଗ୍ରାମ୍ ବାସି ଖାଦ୍ୟ ଓ ୨୦ଟି ମିଆଦପୂର୍ଣ୍ଣ ଖାଦ୍ୟ ଉତ୍ପାଦକୁ ଅଧିକାରୀଙ୍କ ଉପସ୍ଥିତିରେ ନଷ୍ଟ କରାଯାଇଛି ।

ନିୟମ ଉଲ୍ଲଂଘନ କରିଥିବା ବ୍ୟବସାୟୀଙ୍କଠାରୁ ୨,୦୦୦ ଟଙ୍କା ଜରିମାନା ଆଦାୟ ସହ ୩ଟି ପ୍ରତିଷ୍ଠାନକୁ ‘କାରଣ ଦର୍ଶାଅ’ ନୋଟିସ ଜାରି କରାଯାଇଛି ବୋଲି ବଲାଙ୍ଗିର ଖାଦ୍ୟ ନିରାପତ୍ତା ଅଧିକାରୀ ବିଶ୍ୱଜିତ ସୀଙ୍କୁ ସୂଚନା ଦେଇଛନ୍ତି । ସେହିପରି ଟିଟିଲାଗଡ଼ ପୌରାଞ୍ଚଳରେ ମଧ୍ୟ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବିଭିନ୍ନ ମିଠା ଦୋକାନରେ ଯାଞ୍ଚ କରାଯାଇଥିଲା । ଏଠାରେ ପନୀର, ଖୋଆ, ଛେନା ଓ ବିଭିନ୍ନ ପ୍ରକାର ମିଠା ସମେତ ମୋଟ ୧୩ଟି ଖାଦ୍ୟ ନମୁନା ସଂଗ୍ରହ କରାଯାଇ ପରୀକ୍ଷାଗାରକୁ ପଠାଯାଇଛି ।

ନମୁନାର ପରୀକ୍ଷା ରିପୋର୍ଟ ଆସିବା ପରେ ନିମ୍ନମାନର ଖାଦ୍ୟ ଯୋଗାଣ କିମ୍ବା ଖାଦ୍ୟ ନିରାପତ୍ତା ନିୟମ ଉଲ୍ଲଂଘନ ମିଳିଲେ ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଆହୁରି କଡ଼ାକଡ଼ି କରାଯିବ ବୋଲି ଟିଟିଲାଗଡ଼ ଖାଦ୍ୟ ନିରାପତ୍ତା ଅଧିକାରୀ ସୌମେନ୍ଦ୍ର ପ୍ରଧାନ କହିଛନ୍ତି । ଏହି ଯାଞ୍ଚ ସମୟରେ ଖାଦ୍ୟ ନିରାପତ୍ତା ନିୟମ ଉଲ୍ଲଂଘନକାରୀ ଦୋକାନୀଙ୍କଠାରୁ ମୋଟ ୮,୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ଏଥିସହ ବିଭିନ୍ନ ଦୋକାନରୁ ଜବତ ପ୍ରାୟ ୨୦ କିଲୋଗ୍ରାମ୍ ବାସି, ଅବ୍ୟବହାର ଯୋଗ୍ୟ ଓ ଅସ୍ୱାସ୍ଥ୍ୟକର ଖାଦ୍ୟକୁ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ନଷ୍ଟ କରାଯାଇଛି ।

ପାର୍ବଣ ସମୟରେ ଖାଦ୍ୟରେ ଅପମିଶ୍ରଣ, ନିମ୍ନମାନର ସାମଗ୍ରୀ ବ୍ୟବହାର ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ବିକ୍ରିକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ଦୋକାନୀମାନଙ୍କୁ କଡ଼ା ଚେତାବନୀ ଦିଆଯାଇଛି । ଖାଦ୍ୟ ପ୍ରତିଷ୍ଠାନରେ ପରିଷ୍କାର-ପରିଚ୍ଛନ୍ନତା, ଖାଦ୍ୟର ଗୁଣବତ୍ତା ଓ ସ୍ୱାସ୍ଥ୍ୟକର ପରିବେଶ ସୁନିଶ୍ଚିତ କରିବା ସହ ଆବଶ୍ୟକ ସୁଧାରମୂଳକ ପଦକ୍ଷେପ ନେବାକୁ ଦୋକାନ ମାଲିକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments