ରାଇକିଆ, (୧୯/୧୧) : ଆପ୍ର : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକରେ ବାତ୍ୟା ‘ଅର୍ଣ୍ଣବ’ ଯୋଗୁଁ ଘଟିଥିବା ବ୍ୟାପକ କ୍ଷୟକ୍ଷତି ଏବଂ ବାତ୍ୟା ପରବର୍ତ୍ତୀ କାର୍ଯ୍ୟର ଅଗ୍ରଗତି ସହ ବାତ୍ୟା ଆକଭନ ର ପ୍ରସ୍ତୁତ ସମ୍ପର୍କରେ ସମୀକ୍ଷା କରିଛନ୍ତି ଓଡ଼ିଶାର ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ (ଆର୍ଡିସି) ବିଜୟ ଅମୃତ କୁଲାଙ୍ଗେ ।
ବାତ୍ୟା ପ୍ରଭାବରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ରାଇକିଆ ବ୍ଲକର ଇନ୍ଦ୍ରଗଡ଼ ଗ୍ରାମପଞ୍ଚାୟତକୁ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ସହ କ୍ଷୟକ୍ଷତି ଓ କାର୍ଯ୍ୟର ସମୀକ୍ଷା କରିଥିଲେ।ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ରାଇକିଆ ବ୍ଲକର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା, ହୋଇ ଥିଲା,ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ, ରାସ୍ତାଘାଟ ନଷ୍ଟ ଓ ଯୋଗାଯୋଗ ବ୍ୟବସ୍ଥା ମଧ୍ୟ ବାଧାପ୍ରାପ୍ତ ହେବା ସହ ଅନେକ ପରିବାର ପ୍ରଭାବିତ ହୋଇଥିଲେ । ବିଶେଷକରି ଇନ୍ଦ୍ରଗଡ଼ ପଞ୍ଚାୟତର ଦୁର୍ଗମ ଗ୍ରାମଗୁଡ଼ିକରେ ବାତ୍ୟାର ପ୍ରଭାବ ଅଧିକ ଦେଖିବାକୁ ମିଳିଥିଲା ।
ଅନେକ ସ୍ଥାନରେ ରାସ୍ତା ଅବରୋଧ ଓ କ୍ଷତିଗ୍ରସ୍ତ ହେବା ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଆର୍ଡିସି ଶ୍ରୀ କୁଲାଙ୍ଗେ ଇନ୍ଦ୍ରଗଡ଼ ପଞ୍ଚାୟତ ପରିଦର୍ଶନ କରି ବାତ୍ୟା ପରବର୍ତ୍ତୀ ବାସ୍ତବ ସ୍ଥିତି ସମ୍ପର୍କରେ ଅବଗତ ହୋଇଥିଲେ। କ୍ଷତିଗ୍ରସ୍ତ ଅଞ୍ଚଳରେ ରାସ୍ତାଘାଟର ମରାମତି, ଯୋଗାଯୋଗ ବ୍ୟବସ୍ଥାର ପୁନଃସ୍ଥାପନ, ବିଦ୍ୟୁତ୍ ଓ ପାନୀୟ ଜଳ ଯୋଗାଣ ସମେତ ଅନ୍ୟାନ୍ୟ ମୌଳିକ ସେବାର ପୁନରୁଦ୍ଧାର ସମ୍ପର୍କରେ ଅଧିକାରୀମାନଙ୍କଠାରୁ ତଥ୍ୟ ନେଇଥିଲେ । ଏଥିସହ କ୍ଷତିଗ୍ରସ୍ତ ଘରଦ୍ୱାର, ଜନସାଧାରଣଙ୍କ ସମସ୍ୟା ଏବଂ ବାତ୍ୟା ପ୍ରଭାବିତ ପରିବାରଙ୍କୁ ଯୋଗାଇ ଦିଆଯାଇଥିବା ସହାୟତା ସମ୍ପର୍କରେ ମଧ୍ୟ ସମୀକ୍ଷା କରିଥିଲେ ।
ବାତ୍ୟା ସମୟରେ ବିପଦସଂକୁଳ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର, ରିଲିଫ୍ ଶିବିରରେ ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ଯୋଗାଣ ଏବଂ ପ୍ରଭାବିତ ପରିବାରଙ୍କୁ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସହଯୋଗ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଦୁର୍ଗମ ଅଞ୍ଚଳରେ କାର୍ଯ୍ୟକୁ ଗୁରୁତ୍ୱ ଦେବା ସହ କ୍ଷତିଗ୍ରସ୍ତ ଜନସାଧାରଣଙ୍କ ସମସ୍ୟାକୁ ପ୍ରାଥମିକତା ଭିତ୍ତିରେ ଚିହ୍ନଟ କରିବା ଉପରେ ସମୀକ୍ଷା କରାଯାଇଥିଲା ।
ଏହି ଗସ୍ତ ସମୟରେ କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ,ସିଡିଓ ଶମ୍ଭୁନାଥ ନନ୍ଦୀ, ରାଇକିଆ ତହସିଲଦାର ବାରିୟାଲ ମୁର୍ମୁ, ରାଇକିଆଗୋଷ୍ଠୀ ଉନ୍ନୟନ ଅଧିକାରୀ ଡଃ. ସବ୍ୟସାଚୀ ସାହୁ, ସହକାରୀ ଯନ୍ତ୍ରୀ ବଣ୍ଟି ଚୌଧୁରୀ, ରାଇକିଆ ବ୍ଲକ ସଂଯୋଜକ କମଳ ପ୍ରସାଦ ନାୟକଙ୍କ ସମେତ ବିଭିନ୍ନ ବିଭାଗର ପ୍ରଶାସନିକ ଅଧିକାରୀ ଓ ପୋଲିସ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ । ଆର୍ଡିସିଙ୍କ ଏହି ପରିଦର୍ଶନ ଓ ସମୀକ୍ଷାକୁ ବାତ୍ୟା ପ୍ରଭାବିତ ଅଞ୍ଚଳର ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି ଯାଉଛି ।

