ପରିବେଶ ସୁରକ୍ଷା ପାଇଁ ଶିଳ୍ପ ସଂସ୍ଥାର ଦାୟିତ୍ବ ସର୍ବାଧିକ
ରାୟଗଡା, (୧୩/୭) : ଆପ୍ର : ପ୍ରଧାନମନ୍ତ୍ରୀ ଦେଇଥିବା ନାରା ମାଁ କେ ନାମ ଏକ ପେଡ ଆହ୍ବାନରେ ମାଁଙ୍କ ନାମରେ ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇଦେଉଛନ୍ତି କିନ୍ତୁ ହଜାର ହଜାର ଗଛ ନଷ୍ଟ କରାଯାଉଛି ।
ରାୟଗଡା ଭଳି ଖଣି ଖାଦାନ ଏବଂ ଶିଳ୍ପ ଅଞ୍ଚଳରେ ଆହୁରି ବହୁ ସଂଖ୍ୟାର ବୃକ୍ଷ ଛେଦନ କରାଯାଉଛି ଏବଂ ନୂତନ ଭାବେ ବନିକରଣ ହେଉଥିବା ଚାରାକୁ ସୁରକ୍ଷା ଦେଇପାରୁନାହାନ୍ତି । ଫଳରେ ଜିଲ୍ଲାର ସାଂଘାତିକ ଭାବରେ ପରିବେଶ ସଂତୁଳନ ବିଗିଡିଛି । ଚଳିତବର୍ଷ ପାଣିପାଗ ପ୍ରଭାବରେ ରାୟଗଡା ଜିଲ୍ଲାରେ ନିୟଣ୍ଟିଆ ବର୍ଷା ହୋଇଛି । ଆଦିବାସୀଙ୍କୁ ଦ୍ବାହି ଦେଇ ବିଭିନ୍ନ ସଂଗଠନ, ଶିଳ୍ପ ସଂସ୍ଥା ନିଜର ଦାୟିତ୍ବରୁ ଖସିଯାଉଛନ୍ତି କିନ୍ତୁ ଜିଲ୍ଲାରେ ଚାଲିଥିବା ଶିଳ୍ପ ସଂସ୍ଥା ମାନେ ପରିବେଶ ସୁରକ୍ଷା ପାଇଁ ଠିକ ରୂପେ ଦାୟିତ୍ବ ନିର୍ବାହ କରୁନାହାନ୍ତି ବୋଲି ରାୟଗଡା ବିଧାୟକ ଆପଲାସ୍ବାମି କାଡ୍ରାକା ରାୟଗଡା ଉପକଣ୍ଠ ସ୍ଥିତ ପିତାମହଲ ଠାରେ ଥିବା ସେଞ୍ଚୁରିଆନ ୟୁନିଭରସିଟି ପରିସରରେ ଆୟୋଜିତ କ୍ଲାଇମେଟ ପଞ୍ଚାୟତରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ କହିଛନ୍ତି ।
ବିଭିନ୍ନ କମ୍ପାନୀର ସିଏସଆର ମାଧ୍ୟମରେ ଖର୍ଚ୍ଚ ହେଉଥିବା ପ୍ରମୁଖ ଅନୁଦାନକୁ ପରିବେଶ ସୁରକ୍ଷାରେ ଲଗାଯାଉ ବୋଲି ବିଧାୟକ ଶ୍ରୀ କାଡ୍ରାକା କହିବା ସହ ଶିଳ୍ପସଂସ୍ଥା ମାନେ ଉତ୍ତରଦାୟି ରହିବା ଉଚିତ ବୋଲି ଶ୍ରୀ କାଡ୍ରାକା କହିଥିଲେ । ପରିବର୍ତ୍ତିତ ପରିସ୍ଥିତିରେ ଆମ ମଧ୍ୟରେ ସାମାଜିକ ଭଲ ରହୁନି , ସଂପର୍କ ଭଲ ରହିଲେ ପରିବେଶ ମଧ୍ୟ ଭଲ ରୁହେ କିନ୍ତୁ କିଛି ଲୋକ ବିକାଶର ଦ୍ବାହି ଦେଇ ନିଜ ସ୍ବାର୍ଥ ପାଇଁ ପରିବେଶକୁ ନଷ୍ଟ କରିବାରେ ଲାଗିଛନ୍ତି । ଏଥିରେ ମାନବିକତା ଆଉ ନାହିଁ I ରାୟଗଡା ଜିଲ୍ଲାରେ ଶିଳ୍ପ ଆସିଲା କିନ୍ତୁ ପରିବେଶ ପାଇଁ ଠୋସ ଯୋଜନା ହେଲା ନାହିଁ I ତାଣ ପରିଣାମ ଜିଲ୍ଲାର ୧୦ଲକ୍ଷରୁ ଉର୍ଧ୍ବ ଜନସାଧାରଣ ଭୋଗୁଛନ୍ତି ବୋଲି ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ଶିକ୍ଷାବିତ ଡ ଦୁଷ୍ମନ୍ତ କୁମାର ମାହାନ୍ତି ପ୍ରକାଶ କରିଛନ୍ତି ।
ପେଷ୍ଟିସାଇଡ ଯୋଗୁଁ ଆମେ ଖାଦ୍ୟରେ ବିଷ ଖାଉଛୁ , ଡ଼ାଇରୀ ଫାର୍ମ, ଅର୍ଗାନିକ ଫାର୍ମର ପ୍ରୋତ୍ସାହନର ଆବଶ୍ୟକତା ରହିଛି ବୋଲି ଶ୍ରୀ ମାହାନ୍ତି କହିଥିଲେ । ଅନ୍ୟତମ ଅତିଥି ରୂପେ ଯୋଗଦେଇ ସେଞ୍ଚୁରିଆନ ୟୁନିଭରସିଟିର ନିର୍ଦେଶକ ଡ ରାଜେଶ କୁମାର ପାଢ଼ୀ କହିଥିଲେ ଏବଠୁ ପରିବେସ ପାଇଁ ସଜାଗ ନହେଲେ ଭବିଷ୍ୟତରେ ଆମକୁ ବହୁ ମୂଲ୍ୟ ଦେବାକୁ ପଡିବ ଏବଂ ଆଗାମି ପଢ଼ି ଆମର ଭୁଲ ଯୋଗୁଁ ବଡ ବିପଦର ସମ୍ମଖିନ ହେବେ ବୋଲି ସତର୍କ କରିଥିଲେ । ଅବସରପ୍ରାପ୍ତ ବନପାଳ କାମେଶ୍ବର ଆଚାରୀ ସମ୍ମାନୀତ ଅତିଥି ରୂପେ ସୂଚନା ଦେଇ କହିଥିଲେ ସ୍ଥାନୀୟ ଲୋକଙ୍କ ବସତି ଏବଂ ଜଙ୍ଗଲର ବ୍ୟବହାର ନେଇ ନିର୍ଦିଷ୍ଟ କୌଣସି ସୀମା ନିରୁପଣ ହୋଇପାରୁନାହିଁ ଏଣୁ ଜଙ୍ଗଲ ବହୁମାତ୍ରାରେ ନଷ୍ଟ ହେଉଛି ।
ଏନେଇ ପଦକ୍ଷେପ ଗ୍ରହଣ କରିଲେ ପରିବେଶ ସୁରକ୍ଷାରେ ବଡ ପଦକ୍ଷେପ ହୋଇପାରିବ । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପିକା ପଲ୍ଲିଶ୍ରୀ ଭୁକ୍ତା ପରିଚାଳନା କରିଥିବା ବେଳେ ସମାଜସେବୀ ସୁଦର୍ଶନ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥଲେ । କାର୍ଯ୍ୟକ୍ରମରେ ସମ୍ବାଦ ଜିଲ୍ଲା ପ୍ରତିନିଧି ଶିବ ପ୍ରସାଦ ଦୋରା,କନକ ନ୍ୟୁଜ ପ୍ରତିନିଧି ସ୍ମୃତି ରଞନ ମାହାନ୍ତି,ସମାଜସେବୀ ଗୋପୀନାଥ ଗୌଡ ପ୍ରମୁଖ ଉପସ୍ଥିତ ରହିଥିଲେ ।

