ଭଦ୍ରକ, (୧୪/୦୭) : ଆପ୍ର : ୧୬ ନଂ ଜାତୀୟ ରାଜପଥରେ ମହତାବ ଛକ ନିକଟରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟିଛି । ଛିଡା ହୋଇଥିବା କଣ୍ଟେନର ଟ୍ରକ ପଛକୁ ପିଟିଲା କାର ।
ଧକ୍କା ଏତେ ଜୋରଦାର ଥିଲା ଯେ କାରଟି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି । ଫଳରେ କାର ଭିତରେ ଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଅନ୍ୟ ଜଣ ଗୁରୁତରଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳି ପାରିନାହିଁ । ଏହି ଦୁର୍ଘଟଣା ପରେ ଜାତୀୟ ରାଜପଥରେ ଶହ ଶହ ଗାଡ଼ି ଅଟକି ରହିଛି । ଯାହା ଦ୍ୱାରା ଯାତାୟାତ ବାଧାପ୍ରାପ୍ତ ହୋଇଛି । ଘଟଣା ସମ୍ପର୍କରେ ସୂଚନା ପାଇ ଘଟଣା ସ୍ଥଳରେ ଟାଉନ ପୋଲିସ ପହଞ୍ଚିଛି । ଏଥିସହିତ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବାକୁ ଟାଉନ ପୋଲିସ ତଦନ୍ତ ଆରମ୍ଭ କରିଛି ।

