ପୁରୀ, (୧୯/୦୭) : ଆପ୍ର : ଜନ୍ମବେଦୀରେ ମହାବାହୁ । ଆଜିଠୁ ଆଡ଼ପ ଦର୍ଶନ। ଗତକାଲି ଜନ୍ମବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଭକ୍ତଙ୍କ ଗହଣରେ ବଡ଼ଦାଣ୍ଡରେ ଦୁଇଦିନ ଲୀଳାଖେଳା କରିବା ପରେ ଆଡପ ବିଜେ କରିଛନ୍ତି ଶ୍ରୀଜିଉ ।
ଗତକାଲି ସନ୍ଧ୍ୟାରେ ଚାରିମାଳ ବନ୍ଧା ପରେ ରଥ ଉପରେ ନୀତି ସମ୍ପୂର୍ଣ୍ଣ ଉପରେ ଶ୍ରୀଜିଉଙ୍କ ପହଣ୍ଡି କରାଯାଇଥିଲା । ପ୍ରଥମେ ବଳଭଦ୍ର, ପରେ ଦେବୀ ସୁଭଦ୍ରା ,ଶେଷରେ ଯାଇଥିଲେ ବିଶ୍ବ ନିୟନ୍ତା । ଶ୍ରୀଜିଉଙ୍କ ପହଣ୍ଡି ଦେଖି ବିମୋହିତ ହୋଇଥିଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ଆଜି ସକାଳ ୧୦ଟାରୁ ମହାପ୍ରଭୁଙ୍କ ଆଡ଼ପ ଦର୍ଶନ କରିବେ ଭକ୍ତ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଭୋରୁ ଲାଗିଲାଣି ଲମ୍ବା ଲାଇନ୍। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସ୍ୱତନ୍ତ୍ର ବାରିକେଡ଼ ଦେଇ ଭକ୍ତ ଶ୍ରୀଗୁଣ୍ଡିଚା ମନ୍ଦିରରେ ପ୍ରବେଶ କରି ନାକଚଣା ଦ୍ଵାର ପଟେ ପ୍ରସ୍ଥାନ କରିବେ ଭକ୍ତ ।
ବିଶ୍ୱାସ ରହିଛି ଯେ, ଶ୍ରୀମନ୍ଦିରର ରତ୍ନସିଂହାସନ ଅପେକ୍ଷା ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହୁଏ । ଶାସ୍ତ୍ର ଅନୁସାରେ, ଆଡ଼ପ ମଣ୍ଡପରେ ଗୋଟିଏ ଦିନର ଦର୍ଶନ ଶ୍ରୀମନ୍ଦିରର ଦଶ ବର୍ଷର ଦର୍ଶନ ସହ ସମାନ । ସେପଟେ ଆଜିଠୁ ଆଡ଼ପ ଅବଢ଼ା ପାଇବେ ଭକ୍ତ । ସୁଆର ମହାସୁଆର ନିଯୋଗ ପକ୍ଷରୁ ୫୦ ହଜାର ଭକ୍ତଙ୍କ ଲାଗି ଆଡପ ଅବଢ଼ାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି l ଭଗବାନଙ୍କ ଜନ୍ମସ୍ଥାନରେ ଏହି ଅନ୍ନ ପ୍ରସାଦ ପାଇବା ଦ୍ୱାରା ମୋକ୍ଷ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି ।

