Homelocalଉନ୍ନୟନ ପରିଷଦର ନବନିଯୁକ୍ତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ, ଅନ୍ତିମ ଧାଡି ପର୍ଯ୍ୟନ୍ତ ପହଞ୍ଚି...

ଉନ୍ନୟନ ପରିଷଦର ନବନିଯୁକ୍ତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ, ଅନ୍ତିମ ଧାଡି ପର୍ଯ୍ୟନ୍ତ ପହଞ୍ଚି ଲୋକଙ୍କ ପାଇଁ କାମ କର

ଭୁବନେଶ୍ୱର, (୧୯/୦୭) : ଆପ୍ର : ଆମ ପାଇଁ ରାଜନୀତି କ୍ଷମତା ଭୋଗ କରିବାର ମାଧ୍ୟମ ନୁହେଁ, ବରଂ ଅନ୍ତିମ ଧାଡିରେ ଥିବା ଗରିବ ଲୋକର ସେବା କରିବାର ମାଧ୍ୟମ, ଯାହାକୁ ଆମେ ଅନ୍ତ୍ୟୋଦୟ କହୁ । ତେଣୁ, ଆପଣମାନେ ଅନ୍ତିମ ଧାଡି ପର୍ଯ୍ୟନ୍ତ ପହଞ୍ଚି, ଲୋକଙ୍କ ପାଇଁ କାମ କରନ୍ତୁ ।

ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନବନିଯୁକ୍ତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷମାନଙ୍କୁ ପରାମର୍ଶ ଦେଇ ଏହା କହିଛନ୍ତି । ଆଜି ଲୋକସେବା ଭବନ କନ୍‌ଭେନ୍‌ସନ ସେଣ୍ଟରରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନବନିଯୁକ୍ତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାର ୨୩ଟି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷମାନେ ଯୋଗ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ ସମସ୍ତଙ୍କଠାରୁ ଆଞ୍ଚଳିକ ସମସ୍ୟାଗୁଡିକୁ ଗୁରୁତ୍ୱର ସହିତ ଶୁଣି ଧୈର୍ଯ୍ୟର ସହ କାମ କରିବାକୁ ପରାମର୍ଶ ଦେଇଛନ୍ତି । ସମସ୍ୟାଗୁଡ଼ିକୁ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରନ୍ତୁ । ତା ସହିତ ବିଭାଗୀୟ ଅଧିକାରୀ ଓ ମନ୍ତ୍ରୀ ମଧ୍ୟ ବିଭିନ୍ନ ବିଷୟ ଉପରେ ପଦକ୍ଷେପ ନେବେ। ସମସ୍ତ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ ଯେପରି ଉପଯୁକ୍ତ ସମ୍ମାନର ସହ କାମ କରିବେ, ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି । ଏ ସରକାର କାମରେ ବିଶ୍ୱାସ କରନ୍ତି । ତେଣୁ ନିୟମିତ ଭାବେ କ୍ଷେତ୍ର ପରିଦର୍ଶନ କରି ଲୋକଙ୍କ ସମସ୍ୟା ବୁଝି ତଦନୁଯାୟୀ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଆଲୋଚନାରେ ମୁଖ୍ୟମନ୍ତ୍ରୀ ଜନଜାତିଙ୍କ ବିକାଶ ଉପରେ ଅଧିକ ଗୁରୁତ୍ୱାରୋପ କରିଥିଲେ । ସରକାର କ୍ଷମତାକୁ ଆସିବା ପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି। ଜନଜାତି କଳା ଓ ସଂସ୍କୃତିର ବିବିଧତା ଆମ ଓଡିଶାର ଓ ଦେଶର ସାମଗ୍ରିକ ସଂସ୍କୃତିକୁ ଋଦ୍ଧିମନ୍ତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ‘ବିକାଶ ଭି, ବିରାସତ ଭି’ ମନ୍ତ୍ରକୁ ଆଧାର କରି ତା’ର ସଂରକ୍ଷଣ ଓ ବିକାଶ ପାଇଁ କାମ କରିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ଜନଜାତି ବିକାଶ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି ।

ସେହିପରି ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଲକ୍ଷ୍ୟ ଉପରେ ଆଲୋକପାତ କରି କହିଛନ୍ତି ଯେ, ବିକାଶ କିଭଳି ତଳ ସ୍ତର ପର୍ଯ୍ୟନ୍ତ ପହଞ୍ଚିବ ତାକୁ ଲକ୍ଷ୍ୟ ରଖି ଏହି ପରିଷଦ ଗଠନ କରାଯାଇଛି । ଏହି ପରିଷଦ ମାଧ୍ୟମରେ, ଆପଣମାନଙ୍କ ଜରିଆରେ ଜନଜାତି ବିକାଶ ସହିତ ସେମାନଙ୍କର କଳା, ସଂସ୍କୃତି ଓ ଐତିହ୍ୟ ସବୁଦିନ ପାଇଁ ସୁରକ୍ଷିତ ହୋଇ ରହିପାରିବ। ତୃଣମୂଳ ସ୍ତରରେ ରହିଥିବା ସମସ୍ୟା ସମ୍ପର୍କରେ ଆପଣମାନେ ସରକାରଙ୍କ ଦୃଷ୍ଟିକୁ ଆଣନ୍ତୁ । ତା’ର ସମାଧାନ କରାଯିବ । ନିଷ୍ଠାର ସହ ଜନଜାତି କଲ୍ୟାଣ ପାଇଁ କାମ କରିବାକୁ ସେ ପରାମର୍ଶ ଦେଇଥିଲେ ।

ମୁଖ୍ୟଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଥିଲେ ଯେ, ଆମର ଉନ୍ନୟନ ପରିଷଦରେ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ନିଯୁକ୍ତି ଦିଆଯାଇଛି, ଯାହା ଏକ ଉତ୍ତମ ମଡେଲ। ୨୦୩୬ ଭିଜନକୁ ହାସଲ କରିବାକୁ ହେଲେ, ଆମ ସମସ୍ତଙ୍କୁ ମିଳିମିଶି କାମ କରିବାକୁ ହେବ ବୋଲି ସେ କହିଥିଲେ । ଉନ୍ନୟନ କମିଶନର ଶ୍ରୀ ଦେଓରଞ୍ଜନ କୁମାର ସିଂ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବି. ପରମେଶ୍ୱରନ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସ୍ୱାଗତ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments