ଝାରସୁଗୁଡ଼ା, (୨୨/୦୭) : ଆପ୍ର : ଝାରସୁଗୁଡ଼ାରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ଜୁଏଲାରୀ ଦୋକାନ ଓ ସପିଂ ମଲ୍ । ମନମୋହନ ପଡ଼ିଆ ନିକଟରେ ଥିବା ଦୋକାନ ଓ ସପିଂ ମଲ୍ ରେ ଅଗ୍ନିକାଣ୍ଡ ହୋଇଛି ।
ଜଳିପୋଡ଼ି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି ରହିଛି । ଦୁଇଟି ଦମକଳ ବାହିନୀ ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି । କେଉଁ କାରଣରୁ ନିଆଁ ଲାଗିଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ସେହିପରି ସୋମବାର ଦିନ ଝାରସୁଗୁଡା ଜିଲ୍ଲାର ବେଲପାହାଡ଼ରେ ଭୋରରୁ ଏକ ଏଟିଏମ୍ ଜଳି ଯାଇଥିଲା । ବେଲପାହାଡ଼ ଫାଟକ ନିକଟରେ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଏଟିଏମରେ ଭୋର ସମୟରେ ଘଟିଥିବା ଏହି ଅଗ୍ନିକାଣ୍ଡ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଥିଲା । ଏଟିଏମ୍ ପ୍ରକୋଷ୍ଠରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ପ୍ରଥମେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିଥିବାରୁ ଏକ ବଡ଼ ଅଘଟଣ ଟଳିଯାଇଥିଲା ।

