କଟକ, (୧୫/୦୭) : ଆପ୍ର : ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ RI । ରାୟଗଡ଼ା ଜିଲ୍ଲା ଗୁଣପୁର ତହସିଲ ଅଧୀନ ସିରିଝୁଲି ସର୍କଲର ଆରଆଇ ସୁଶାନ୍ତ ମଲ୍ଲିକ ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ ।
ପୈତୃକ ଜମିର ଜମିପଟ୍ଟା ପାଇଁ ତଦନ୍ତ ରିପୋର୍ଟ ଦାଖଲ ସହ ଜମି ପଟ୍ଟା ଜାରି କରାଇବା ପାଇଁ ଅନଲାଇନରେ ଆବେଦନ କରିଥିଲେ ଆବେଦନାକାରୀ । ଏମିତିକି ନିର୍ଦ୍ଧାରିତ ଫି ଜମା କରିଥିଲେ ଆବେଦନକାରୀ। ହେଲେ ଆରଆଇ ସୁଶାନ୍ତ ମଲ୍ଲିକ ବିନା କାରଣରେ ଫାଇଲକୁ ବିଳମ୍ବ କରିଥିଲେ । କାମ କରିଦେବା ପାଇଁ ୨୫ ହଜାର ଲାଞ୍ଚ ଦାବି କରିଥିଲେ ଆରଆଇ । ଏନେଇ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ।
ଆଜି RI ତାଙ୍କ କାର୍ଯ୍ୟାଳୟରେ ଅଭିଯୋଗକାରୀଙ୍କଠାରୁ ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଥିଲା । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତିନୋଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି । ଏହି ଘଟଣାରେ କୋରାପୁଟ ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ, ୨୦୧୮ର ଧାରା–୭ ଅନୁଯାୟୀ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଜାରି ରହିଛି ।

