ଭୁବନେଶ୍ୱର, (୦୩/୧୧) : ଆପ୍ର : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ସରକାରୀ ଅଧିକାରୀ। ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ଟଙ୍କା ମୁକ୍ତ କରିବା ପାଇଁ ଲକ୍ଷାଧିକ ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡ଼ିଛନ୍ତି ସମ୍ବଲପୁର-ତାଳଚେର ଡବଲିଂ ରେଳଲାଇନ୍ ପ୍ରକଳ୍ପର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଅଜୟ କୁମାର ଗଡ଼ନାୟକ ।
ଜଣେ ଜମି ମାଲିକଙ୍କଠାରୁ ୩ ଲକ୍ଷ ୧୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ତାଙ୍କୁ ଧରିଛି ଭିଜିଲାନ୍ସ ଟିମ୍ । ସମ୍ବଲପୁର-ତାଳଚେର ଡବଲିଂ ରେଳଲାଇନ୍ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ବାବଦରେ ଜଣେ ଜମି ମାଲିକଙ୍କୁ ୮୪ ଲକ୍ଷ ୬୨ ହଜାର ୨୮୮ ଟଙ୍କା କ୍ଷତିପୂରଣ ମିଳିବାର ଥିଲା । ଏହି କ୍ଷତିପୂରଣ ଟଙ୍କା ମୁକ୍ତ କରିବା ସହ ଭବିଷ୍ୟତରେ ତୃତୀୟ ରେଳଲାଇନ୍ ପ୍ରକଳ୍ପରେ ଜମି ଅଧିଗ୍ରହଣ ସମୟରେ ଅନୁକମ୍ପା ଦେଖାଇବା ପାଇଁ ଅଧିକାରୀ ଜଣକ ୫ ଲକ୍ଷ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା ।
ଗତ ୨୭ ତାରିଖରେ ଅଜୟ କୁମାର ଗଡ଼ନାୟକ ଅଭିଯୋଗକାରୀଙ୍କଠାରୁ ୨ ଲକ୍ଷ ଟଙ୍କା ନେଇସାରିଥିବା ଭିଜିଲାନ୍ସ କହିଛି । ଏହାପରେ ବଳକା ୩ ଲକ୍ଷ ୧୦ ହଜାର ଟଙ୍କା ତୁରନ୍ତ ଦେବାକୁ ସେ ଚାପ ପକାଉଥିଲେ । ଏପରିକି ଟଙ୍କା ନଦେଲେ ଭବିଷ୍ୟତରେ ତୃତୀୟ ରେଳଲାଇନ୍ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଓ କ୍ଷତିପୂରଣ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି କରିବେ ବୋଲି ଧମକ ଦେଇଥିବା ଅଭିଯୋଗ ରହିଛି ।
ବାରମ୍ବାର ଲାଞ୍ଚ ଦାବି ଓ ଧମକରେ ଅତିଷ୍ଠ ହୋଇ ଜମି ମାଲିକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଏହାପରେ ଭିଜିଲାନ୍ସ ପକ୍ଷରୁ ଯୋଜନାବଦ୍ଧ ଭାବେ ଜାଲ ବିଛାଯାଇଥିଲା । ସୋମବାର ଅର୍ଥାତ୍ ନଭେମ୍ବର ୨ ତାରିଖରେ ଅଭିଯୋଗକାରୀଙ୍କଠାରୁ ବଳକା ୩ ଲକ୍ଷ ୧୦ ହଜାର ଟଙ୍କା ଗ୍ରହଣ କରୁଥିବା ସମୟରେ ଅଜୟ କୁମାର ଗଡ଼ନାୟକଙ୍କୁ ଭିଜିଲାନ୍ସ ଟିମ୍ କାବୁ କରିଥିଲା ।
ତାଙ୍କ ନିକଟରୁ ଲାଞ୍ଚ ବାବଦ ୩ ଲକ୍ଷ ୧୦ ହଜାର ଟଙ୍କା ଜବତ କରାଯାଇଛି । ଏହି ଘଟଣା ପରେ ଅଧିକାରୀଙ୍କ ଆୟ ବହିର୍ଭୂତ ସମ୍ପତ୍ତି ସମ୍ପର୍କରେ ମଧ୍ୟ ଖୋଳତାଡ଼ ଆରମ୍ଭ କରିଛି ଭିଜିଲାନ୍ସ। ଅଜୟ କୁମାର ଗଡ଼ନାୟକଙ୍କ ସହ ସମ୍ପୃକ୍ତ ତିନୋଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି । ଚଢ଼ାଉରେ କେତେ ସମ୍ପତ୍ତି ଠାବ ହୋଇଛି, ସେନେଇ ତଦନ୍ତ ପରେ ସ୍ପଷ୍ଟ ହେବ ।

