କଣିହା, (୦୫/୧୧) : ଆପ୍ର : ବେଆଇନ ବାଣ କାରବାର ଉପରେ ପୋଲିସର ବଡ଼ ଆକ୍ସନ । ଅନୁଗୁଳ ଜିଲ୍ଲା କଣିହା ଅଞ୍ଚଳରେ ଥିବା ଏକ ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ କରିଛି ପୋଲିସ ।
ଏହି ଚଢ଼ାଉରେ ବିପୁଳ ପରିମାଣର ବାଣ ଜବତ ହୋଇଥିବା ବେଳେ ବାଣ ବିକ୍ରି କରୁଥିବା ଜଣେ ଯୁବକଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ, କଣିହା ଅନ୍ତର୍ଗତ ବିଜିଗୋଳ ଗାଁରେ ବେଆଇନ ଭାବେ ବାଣ ବିକ୍ରି ହେଉଥିବା ନେଇ ପୋଲିସକୁ ଖବର ମିଳିଥିଲା । ଏହାପରେ ଅନୁଗୁଳ ସ୍ପେଶାଲ ସ୍କ୍ୱାର୍ଡ ଓ ଏନଟିପିସି ପୋଲିସର ଏକ ମିଳିତ ଟିମ୍ ସମ୍ପୃକ୍ତ ଗୋଦାମ ଉପରେ ଅଚାନକ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ଗୋଦାମରୁ ବିପୁଳ ପରିମାଣର ବାଣ ଜବତ କରିଥିଲା ପୋଲିସ । ଏହାସହ ବାଣ ବିକ୍ରିରେ ସମ୍ପୃକ୍ତ ଜଣେ ଯୁବକଙ୍କୁ ଗିରଫ କରାଯାଇଛି । ଏହି ଘଟଣାରେ ପୋଲିସ ମାମଲା ରୁଜୁ କରିବା ସହ ବେଆଇନ ବାଣ କାରବାରର ଚେର ଖୋଜିବାକୁ ତଦନ୍ତ ଜାରି ରଖିଛି ।

