ଭୁବନେଶ୍ୱର, (୨୭/୦୮) : ଆପ୍ର : ପଦ୍ମପୁର ନିର୍ବାଚନମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କ ପରଲୋକ ଘଟିଛି ।
ଗତକାଲି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୭୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ସତ୍ୟଭୂଷଣ ସାହୁ ୧୯୮୦, ୧୯୮୫ ଓ ୨୦୦୪ ମସିହାରେ ପଦ୍ମପୁରରୁ ବିଧାୟକ ଭାବେ ନିର୍ବାଚିତ ହୋଇ ତିନିଥର ଓଡ଼ିଶା ବିଧାନ ସଭାକୁ ପ୍ରତିନିଧିତ୍ୱ କରିଥିଲେ । ୨୦୦୪ରୁ ୨୦୦୬ ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନସଭାରେ କଂଗ୍ରେସ ବିଧାୟକ ଦଳର ମୁଖ୍ୟ ସଚେତକ ଭାବେ ଦାୟିତ୍ୱ ତୁଲାଇଥିଲେ । ତାଙ୍କ ଦୀର୍ଘ ରାଜନୈତିକ ଜୀବନରେ ସେ ପଦ୍ମପୁର ଅଞ୍ଚଳର ବିଭିନ୍ନ ଜନସମସ୍ୟା ଓ ବିକାଶମୂଳକ ପ୍ରସଙ୍ଗକୁ ନେଇ ସକ୍ରିୟ ଭୂମିକା ନେଇଥିଲେ । ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ପଦ୍ମପୁର ଅଞ୍ଚଳର ରାଜନୈତିକ, ସାମାଜିକ ଓ କଂଗ୍ରେସ ମହଲରେ ଶୋକର ଛାୟା ଖେଳିଯାଇଛି ।
ସେହିପରି ସତ୍ୟ ଭୂଷଣ ସାହୁଙ୍କ ବିୟୋଗରେ ବିଶିଷ୍ଟ ବ୍ୟକ୍ତିମାନଙ୍କ ଶୋକ ପ୍ରକାଶ କରିଛନ୍ତି । ବାଚସ୍ପତି ସୁରମା ପାଢ଼ୀ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଏକ ଶୋକ ବାର୍ତ୍ତାରେ ବାଚସ୍ପତି କହିଛନ୍ତି ଯେ, ସ୍ବର୍ଗତ ସାହୁ ତିନି ଥର ବିଧାୟକ ଭାବେ ନିର୍ବାଚିତ ହେବା ତାଙ୍କ ଲୋକପ୍ରିୟତାର ପ୍ରମାଣ ଅଟେ । ପଦ୍ମପୁର ଅଂଚଳର ସର୍ବାଙ୍ଗୀନ ଉନ୍ନତି କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ । ଏଥି ସହ ବିଧାନସଭାରେ ମୁଖ୍ୟ ସଚେତକ ଭାବେ ସେ ଉଲ୍ଲେଖନୀୟ କାର୍ଯ୍ୟ କରିଯାଇଛନ୍ତି । ଏହି ଅବସରରେ ସ୍ବର୍ଗତ ସାହୁଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି, ପଦ୍ମପୁରର ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ । ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ସଦ୍ଗତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ।

