ଭୁବନେଶ୍ୱର, (୨୭/୧୦) : ଆପ୍ର : ବାତ୍ୟା ଅର୍ଣ୍ଣବର ପ୍ରଭାବକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ ଆଜି ଅପରାହ୍ନ ୧ଟା ଠାରୁ , ଆସନ୍ତାକାଲି୨୮ ଅକ୍ଟୋବର ଯାଏଁ ବନ୍ଦ ରହିବା ନେଇ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଜାରି କରିଛି ।
ଜିଲ୍ଲାରେ ସମସ୍ତ ବିଦ୍ୟାଳୟର ଶିଶୁ ବାଟିକା ଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବନ୍ଦ ରହିବା ନେଇ ନିର୍ଦ୍ଦେଶ ଜାରି ହୋଇଛି । ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଗୁଡ଼ିକ ବନ୍ଦ ରହିବା ପାଇଁ ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜ ଏହି ନିର୍ଦ୍ଦେଶ ଦେଇଛନ୍ତି । ମାତ୍ର ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ ବିଦ୍ୟାଳୟରେ ଉପସ୍ଥିତ ରହିବେ । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ବିଦ୍ୟାଳୟ କୋଠା ଓ ଆନୁଷଙ୍ଗିକ ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଦ୍ୟାଳୟ ଗୁଡ଼ିକ ୨୪ ଘଣ୍ଟା ଖୋଲା ରଖିବା ସହ ରୋଷ୍ଟର ଡ୍ୟୁଟି ପ୍ରଚଳନ ପାଇଁ ପ୍ରଧାନଶିକ୍ଷକ ଏବଂ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ତୁରନ୍ତ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଏଥି ସହ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି ।
ଏପଟେ,ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଟ୍ଵିନ୍ ସିଟିରେ ପ୍ରବଳ ବର୍ଷା । ଦିନରେ ରାତି ଭଳି ସ୍ଥିତି । ଅନ୍ଧାର ହେବା ସହ ଜାରି ରହିଛି ବର୍ଷା । ଘଡ଼ଘଡ଼ି ସହ ପୁରା ଆକାଶ ମେଘାଛନ୍ନ। ପ୍ରବଳ ବର୍ଷା ଯୋଗୁଁ କଟକ ଓ ଭୁବନେଶ୍ବରରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । କଟକ ସହରରେ ବଡ଼ ବଡ଼ ହୋର୍ଡିଂ ଗୁଡିକୁ ଖୋଲି ଦିଆଯାଇଥିବା ବେଳେ, ଅତି ଉଚ୍ଚ ବଡ ବଡ଼ ଦୁର୍ଗାପୂଜା ତୋରଣ ମଧ୍ୟ ଖୋଲି ଦିଆଯାଇଛି । ଜଳ ନିସ୍କାସନ ପାଇଁ ତିନି ଶହରୁ ଅଧିକ ପମ୍ପ ସେଟ୍ ପ୍ରସ୍ତୁତ ରଖିଛି କଟକ ମହାନଗର ନିଗମ ।

