ଭୁବନେଶ୍ବର, (୦୯/୦୮) : ଆପ୍ର : ପଛକୁ ପଛ ଆସୁଛି ଆଉ ୨ ଲଘୁଚାପ । ବଙ୍ଗୋପସାଗରରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଉତ୍ତର ଓଡ଼ିଶା ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଛି ଲୋ ପ୍ରେସର ଏରିଆ ।
ଏହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ଆଶଂକା ରହିଛି । ଆଉ ଏକ ଲଘୁଚାପ ଦାନା ବାନ୍ଧୁଛି । ଆସନ୍ତା ୧୪ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା । ଆସନ୍ତା ୧୩ରୁ ୧୯ ଯାଏଁ ଓଡ଼ିଶା ସମେତ ପୂର୍ବ ଓ ଉତ୍ତର-ପୂର୍ବ ଭାରତରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ବର୍ଷା ବିପତ୍ତି ଆଣୁଛି ଡବଲ ଲୋ ପ୍ରେସର। IMDର ଆକଳନ ଅନୁଯାୟୀ, ୧୨ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି ।
ଏହାର ପ୍ରଭାବରେ ଅଗଷ୍ଟ ୧୪ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ତେବେ ସମ୍ଭାବ୍ୟ ଲଘୁଚାପର ଗତିପଥ, ତୀବ୍ରତା ଏବଂ କେଉଁ ଅଞ୍ଚଳରେ କେତେ ବର୍ଷା ହେବ, ସେନେଇ ଏବେଠାରୁ ସ୍ପଷ୍ଟ ଚିତ୍ର ମିଳିନାହିଁ । ୪ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଇଏମଡି । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର । ଏହି ୪ ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଂକା ରହିଛି। ବାକି ପ୍ରାୟ ସମସ୍ତ ଜିଲ୍ଲାକୁ ୟେଲୋ ଆଲର୍ଟରେ ରଖାଯାଇଛି । ଉପକୂଳ, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର ୧୭ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଆଜି ୨୦ରୁ ଅଧିକ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

