ଗୁଣପୁର, (୨୩/୧୦) : ଆପ୍ର : କୃଷି ବିଜ୍ଞାନ କେନ୍ଦ୍ର, ରାୟଗଡ଼ା ର ଗୁଣପୁର ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ଜୈବିକ ଉପାୟରେ ପୋକ ପରିଚାଳନା ପାଇଁ ତିନି ଦିନିଆ ତାଲିମ ଶିବିର ଉଦଯାପିତ ହୋଇଯାଇଛି ।
କୃଷି କ୍ଷେତ୍ରରେ ରାସାୟନିକ କୀଟନାଶକର ବ୍ୟବହାର ହ୍ରାସ କରି ପରିବେଶ ଅନୁକୂଳ ଓ ସ୍ୱାସ୍ଥ୍ୟକର ଚାଷ ପଦ୍ଧତିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏହି ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ ଶିବିରରେ ଗୁଣପୁର ବ୍ଲକର ବିଭିନ୍ନ ଗ୍ରାମର ଗ୍ରାମୀଣ ଯୁବକ ଓ ଯୁବତୀମାନେ ଯୋଗଦେଇ ଜୈବିକ କୀଟନାଶକ, ଜୈବିକ ଘୋଳ ଏବଂ ପ୍ରାକୃତିକ ପୋକ ନିୟନ୍ତ୍ରଣ ପ୍ରଣାଳୀ ସମ୍ପର୍କରେ ବ୍ୟବହାରିକ ପ୍ରଶିକ୍ଷଣ ଗ୍ରହଣ କରିଥିଲେ ।
ଏହି ତାଲିମ୍ ଶିବିରରେ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡଃ ନରମ ରାମୁ , ରାଜୀବ ଟୁଡୁ , ପରିମଳ ତରାଇ ପ୍ରମୁଖ ଉପସ୍ଥିତ ରହି ନିମାସ୍ତ୍ର, ଜୀବାମୃତ, ବ୍ରହ୍ମାସ୍ତ୍ର , ଆଗ୍ନେୟାସ୍ତ୍ର ଓ ଅନ୍ୟାନ୍ୟ ଜୈବିକ ଉପାଦାନ ପ୍ରସ୍ତୁତି ପ୍ରଣାଳୀ, ସେଗୁଡ଼ିକର ସଠିକ ବ୍ୟବହାର ଏବଂ ଫସଲକୁ ପୋକ ଦାଉରୁ ସୁରକ୍ଷିତ ରଖିବାର ଉପାୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏହା ସହ ଜୈବିକ କୃଷି ମାଧ୍ୟମରେ କୃଷକଙ୍କ ଉତ୍ପାଦନ ବ୍ୟୟ କମିବା ସହ ପରିବେଶ ସୁରକ୍ଷା ଏବଂ ମୃତ୍ତିକାର ଉର୍ବରତା ବୃଦ୍ଧିରେ ଏହାର ଗୁରୁତ୍ୱ ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା ।
ଉପସ୍ଥିତ ଚାଷୀ ନିଜେ ପ୍ରାକୃତିକ କିଟନାଶକ ପ୍ରସ୍ତୁତ କରିଥିଲେ । ତାଲିମ୍ ଗ୍ରହଣ କରିବା ପରେ ଯୁବକ ଓ ଯୁବତୀମାନେ ଏଭଳି ତାଲିମକୁ ବେଶ ଉପଯୋଗୀ ବୋଲି ମତ ପ୍ରକାଶ କରିବା ସହ ଆଗାମୀ ଦିନରେ ଜୈବିକ ଉପାଦାନ ପ୍ରସ୍ତୁତ କରି ସ୍ୱାବଲମ୍ବୀ ହେବା ସହିତ କୃଷକମାନଙ୍କୁ ସହଯୋଗ କରିବେ ବୋଲି କହିଥିଲେ । ପ୍ରଶିକ୍ଷଣ ମାଧ୍ୟମରେ ଗ୍ରାମୀଣ ଯୁବପିଢ଼ିଙ୍କ ମଧ୍ୟରେ ଜୈବିକ କୃଷି ପ୍ରତି ଆଗ୍ରହ ବୃଦ୍ଧି ପାଇବା ସହ ସ୍ଥାୟୀ କୃଷି ବ୍ୟବସ୍ଥା ଗଠନରେ ଏହା ସହାୟକ ହେବ ବୋଲି କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ମାନେ ମତ ପ୍ରକାଶ କରିଛନ୍ତି ।

