ମୁରିବାହାଲ, (୦୧/୦୮) : ଆପ୍ର : ଲଗାଣ ଲଘୁଚାପ ବର୍ଷାରେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ମାଟିକାନ୍ଥ ପଡ଼ି ଜଣେ ନାବାଳିକା ଗୁରୁତର ଆହତ ହୋଇ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି ।
ବ୍ଲକ ନିକଟସ୍ଥ ହାଇସ୍କୁଲ ପଡ଼ାର କୃଷ୍ଣ ସାହାଣୀ ଓ କାଲିନ୍ଦ୍ରି ସାହାଣୀଙ୍କ ନାବାଳିକା ଝିଅ ରଶ୍ମିତା ସାହାଣୀ(୧୭) ବୁଧବାର ପୂର୍ବାହ୍ନରେ ତାଙ୍କ ଘରେ ଥିବା ବେଳେ ହଠାତ୍ ତାଙ୍କ ରୋଷେଇ ଘରର ମାଟିକାନ୍ଥ ତାଙ୍କ ଉପରେ ଭାଙ୍ଗି ପଡିଯାଇଥିଲା । ପରିବାର ଓ ପଡ଼ୋଶୀମାନେ ତାଙ୍କୁ ମାଟି ତଳୁ ଉଦ୍ଧାର କରି ତୁରନ୍ତ ପାଖ ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାଟିକାନ୍ଥ ପଡ଼ି ନାବାଳିକାଙ୍କ ଡାହାଣ ଗୋଡ ଭାଙ୍ଗି ଯାଇଥିବା ବେଳେ ଦେହର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଗୁରୁତର ଆଘାତ ଲାଗିଛି । ପ୍ରାଥମିକ ଚିକିତ୍ସା ପରେ ନାବାଳିକାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।
ବାପାମା ଅତ୍ୟନ୍ତ ଗରିବ ହୋଇଥିବାରୁ ପରିବାରଙ୍କୁ ଚିକିତ୍ସା ଓ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି । ଗୁରୁତର ନାବାଳିକାଙ୍କ ଜଣେ ଭାଇ କିଛି ବର୍ଷ ତଳେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ଏବେ ଆଉ ଜଣେ ଭାଇ ଅଛନ୍ତି । ଖବର ପାଇ ମୁରିବାହାଲ ରାଜସ୍ୱ ନିରୀକ୍ଷକ ଦୁର୍ଲଭ ନାୟକ ପହଞ୍ଚି କ୍ଷୟକ୍ଷତି ଆକଳନ କରି ତହସିଲଦାରଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି ଜଣାପଡିଛି । ଏ ସମ୍ପର୍କରେ ତହସିଲଦାର ଜଗଦୀଶ କର୍ତ୍ତାମୀଙ୍କୁ ପଚାରିବାରୁ ରାଜସ୍ୱ ନିରୀକ୍ଷକଙ୍କ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ ପରେ ସରକାରୀ ସହାୟତା ପ୍ରଦାନ ପାଇଁ ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଛନ୍ତି ।

