ଭଦ୍ରକ, (୦୩/୧୦) : ଆପ୍ର : ଭଦ୍ରକରେ ୯୧.୯୦ ଲକ୍ଷ ଟଙ୍କାର ବଡ଼ ଧରଣର ନିବେଶ ଠକେଇ ମାମଲାରେ ସାଇବର ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ନିବେଶକମାନଙ୍କୁ କମ୍ ସମୟରେ ଅଧିକ ଲାଭର ପ୍ରଲୋଭନ ଦେଖାଇ ଏହି ବୃହତ ପରିମାଣର ଅର୍ଥ ଠକେଇ କରାଯାଇଥିଲା । ପୋଲିସ ଏହି ଘଟଣାର ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ବିପୁଳ ପରିମାଣର ନଗଦ ଟଙ୍କା ଏବଂ ଠକେଇରେ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ।
ସୂଚନା ଅନୁଯାୟୀ ଫେସବୁକ୍ ଓ ହ୍ୱାଟ୍ସଆପ୍ରେ ନିବେଶର ୨ଗୁଣ ରିଟର୍ଣ୍ଣର ପ୍ରଲୋଭନ ଦେଖାଇ ଠକେଇ କରୁଥିଲେ । ‘Insights Exchange’ ନାମକ ହ୍ୱାଟ୍ସଆପ୍ ଗ୍ରୁପ୍ରେ ଅଭିଯୋଗକାରୀଙ୍କୁ ଠକୁଥିଲେ। ଅଭିଯୁକ୍ତମାନେ ଭୁଆ ନାମରେ ବ୍ୟାଙ୍କ ଖାତା ଖୋଲି ଠକେଇ କରୁଥିଲେ । SMS Forwarder APK ମାଧ୍ୟମରେ ଇଣ୍ଟରନେଟ୍ ବ୍ୟାଙ୍କିଂର ଆକ୍ସେସ୍ ଦିଆଯାଉଥିଲା । Binance ଭଳି କ୍ରିପ୍ଟୋ ଏକ୍ସଚେଞ୍ଜ୍ ମାଧ୍ୟମରେ USDTରେ କମିଶନ ନେଉଥିଲେ।ସଂଗଠିତ ଭାବେ ପ୍ରାୟ ୯୧.୯୦ ଲକ୍ଷ ଟଙ୍କା ଠକେଇ କରାଯାଇଛି ।
ଭଦ୍ରକ ଓ ଏହାର ଆଖପାଖ ଅଞ୍ଚଳରୁ ୪ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।ଅଭିଯୁକ୍ତମାନଙ୍କ ନିକଟରୁ ପ୍ରାୟ ୧୨ ଲକ୍ଷରୁ ଅଧିକ ନଗଦ ଟଙ୍କା, ମୋବାଇଲ୍ ଫୋନ୍ ଏବଂ ଅନେକ ବ୍ୟାଙ୍କ୍ ପାସବୁକ୍/ଏଟିଏମ୍ କାର୍ଡ ଜବତ ହୋଇଛି। ଅନଲାଇନ୍ ଆପ୍ କିମ୍ବା ସୋସିଆଲ୍ ମିଡିଆ ମାଧ୍ୟମରେ “ଅଧିକ ରିଟର୍ଣ୍ଣ”ର ପ୍ରଲୋଭନ ଦେଖାଇ ଲୋକଙ୍କୁ ଜାଲରେ ଫସାଯାଉଥିଲା ।

