ଯାଜପୁର, (୨୩/୦୬) : ଆପ୍ର : ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣାରେ୯ ଗିରଫ । ନିଶା ନିବାରଣ କେନ୍ଦ୍ର ମାଲିକଙ୍କ ସମେତ ୯ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଧର୍ମଶାଳା ପୋଲିସ ।
୧୯ତାରିଖରେ ଜାରକା ଠାରେ ଥିବା ସୁଧାର ପଥ କେନ୍ଦ୍ରକୁ ଅନ୍ତେବାସୀଙ୍କ ଚୁଟି ଦାଢି କାଟିବାକୁ ଯାଇଥିଲେ ଭଗବାନପୁରର ରାଜୀବ ବାରିକ । ସେ ଅନ୍ତେବାସୀଙ୍କ ଚୁଟି ଦାଢ଼ି କାଟିବା ସହ ସେ ବାବଦକୁ ଅର୍ଥ ପାଇଥିଲେ । ପରେ କେନ୍ଦ୍ରରୁ ବାହାରି ମଦ୍ୟପାନ କରି ଝଗଡା କରିଥିଲେ । ଖବର ପାଇ ସୁଧାର କେନ୍ଦ୍ର କର୍ମଚାରୀ ମାନେ ତାଙ୍କୁ କେନ୍ଦ୍ରକୁ ଆଣି ମାରଧର କରିବା ସହ ଏକ ଖୁଣ୍ଟରେ ବାନ୍ଧି ପକାଇଥିଲେ । ପରେ ତାଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ମୃତ ରାଜୀବଙ୍କ ସ୍ତ୍ରୀ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ସଂପୃକ୍ତ କେନ୍ଦ୍ରର ମାଲିକ ଓ ୮ଜଣ ଅନ୍ତେବାସୀଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।

