ଭବାନୀପାଟଣା, (୦୪/୧୦) : ଆପ୍ର : ସଂପ୍ରତି କଳାହାଣ୍ଡି ଜିଲ୍ଲାରେ ଧାନ ଫସଲରେ ବିପିଏଚ ସମେତ ବିଭିନ୍ନ ପୋକ ଲାଗିଛି । ଫଳରେ ବ୍ୟାପକ ଅଞ୍ଚଳରେ ଫସଲ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି ।
ପରିସ୍ଥିତି ଏଭଳି ହୋଇଛି ଯେ ଧାନ ବିଲକୁ ରୋଗ ପୋକ ଏକ ପ୍ରକାର କବଜା କରିଛି ବୋଲି କୁହାଯାଇ ପାରେ।ସଂପ୍ରତି ଜିଲା ର ଧାନ କିଆରୀ ରେ ବିପିଏଚ୍, ଧଳା ପୋକ, ନିର୍ଗୁଣ୍ଡି, ପତ୍ର ଶୋଷା , ପତ୍ର ପୋଡ଼ା , କାଣ୍ଡ ବିନ୍ଧା ପୋକ, ଲିଭ୍ ଫୋଲ୍ଡର ଆଦି ଅନେକ ପୋକ ଲାଗିଛି। ତେବେ ଅଧିକାଂଶ ଜମିରେ ବିଶେଷ ମାତ୍ରାରେ ଧଳା ବିପିଏଚ ପୋକ ଲାଗିଥିବା ଦେଖିବାକୁ ମିଳୁଛି। ରାତି ଭିତରେ ଏକର ଏକର ଜମି କୁ ପୋକ ମାଡ଼ିଯାଉଥିବାରୁ ଚାଷୀ ଙ୍କ ମଧ୍ୟରେ ଭାଳେଣି ପଡ଼ିଲାଣି। ଏଣୁ ଅଧିକ ପାରିଶ୍ରମିକ ଦେଇ, ଅଧିକ ମଜୁରିଆ ଙ୍କୁ ଲଗାଇ ଔଷଧ ସିଞ୍ଚନ କରାଯାଉଛି । ପୁଣି କେତେକ ବିଲରେ ଔଷଧ ସିଞ୍ଚନ ପରେ ଧାନ ଗଛ ପତ୍ର ଗୁଡ଼ିକ ଲାଲ ହେଉଥିବା ପରିଲକ୍ଷିତ ହେଉଛି । ଏନେଇ ଲୋକେ କୃଷି ଅଧିକାରୀ ଙ୍କ ବଦଳରେ ଦୋକାନୀ ଙ୍କ ପରାମର୍ଶରେ ଔଷଧ ସିଞ୍ଚନ କରୁଥିବା ଦେଖାଯାଉଛି ।
ଗ୍ରାମାଞ୍ଚଳରେ କୃଷି ବିଭାଗ ଅଧିକାରୀ ମାନେ କ୍ଷେତ୍ର ପରିଦର୍ଶନ କରୁନଥିବାରୁ ଦୋକାନୀ ଙ୍କ ଭରସାରେ ଔଷଧ ଆଣୁଛୁ ବୋଲି କେତେକ ଚାଷୀ ମତ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଜିଲାର ଗ୍ରାମାଞ୍ଚଳରେ କ୍ଷେତ୍ର କର୍ମଚାରୀ ବୁଲୁଥିବା ବିଭାଗ କହିଛି । ନିର୍ଦ୍ଦିଷ୍ଟ ଭାବେ ଧାନ ନହେଲେ ମଧ୍ୟ ଧାନ ସହିତ ମକା, ବିରି ଆଦି ଚାଷ ହୋଇଥିବା ୬୫୨ ହେକ୍ଟର ଜମିରେ ବିଭିନ୍ନ ପ୍ରକାର ପୋକ ଲାଗିଥିବା ଭାରପ୍ରାପ୍ତ ଜିଲା ମୁଖ୍ୟ କୃଷି ଅଧିକାରୀ ଅଜିତ୍ ମହାପାତ୍ର “ସମାଜ” କୁ ସୂଚନା ଦେଇଛନ୍ତି । ତେବେ ଔଷଧ କିଣି ଅଧିକ ଖର୍ଚ୍ଚାନ୍ତ ହେଉନଥିବାରୁ ରିହାତି ମୂଲ୍ୟରେ ଔଷଧ ପ୍ରଦାନ ପ୍ରଦାନ ପାଇଁ ଚାଷୀ ମାନେ ଦାବି କରୁଛନ୍ତି । ରୋଗ ଦାଉରୁ ଫସଲ ରୋକିବାକୁ ସରକାର ପଦକ୍ଷେପ ନନେଲେ ଚାଷୀ ଅଣ୍ଟା ସଳଖି ଠିଆ ହେବା ସମ୍ଭବ ନୁହେଁ ବୋଲି ଚାଷୀ ମହଲରେ ମତ ପ୍ରକାଶ ପାଉଛି ।

