ବାଲେଶ୍ବର, (୦୪/୧୦) : ଆପ୍ର : ଜିଲ୍ଲା ପୁଲିସ ଓ ପ୍ରଶାସନ ପକ୍ଷରୁ ଗାନ୍ଧୀ ସ୍ମୃତି ଭବନରେ ଆସନ୍ତା ଦୁର୍ଗାପୂଜା, ରାବଣପୋଡ଼ି ଓ ଭସାଣି ଉତ୍ସବ ପାଇଁ ପ୍ରସ୍ତୁତି ଓ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଛି ।
ଏଥିରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାସ ଅଧ୍ୟକ୍ଷତା କରିଥିବା ବେଳେ ଉପଜିଲ୍ଲାପାଳ ଶିବ ମାଲବ୍ୟ, ଅତିରିକ୍ତ ଜିଲ୍ଲାପାଳ ହେମନ୍ତ କୁମାର ସିଂ, ଏସପି ପ୍ରତ୍ୟୁଷ ଦିୱାକର, ଅତିରିକ୍ତ ଏସପି ଦେବଜ୍ୟୋତି ଦାସ, ପରେଶ କୁମାର ରାଉତ, ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସଦର ବିଧାୟକ ମାନସ କୁମାର ଦତ୍ତ, ସରକାରୀ ଦଳ ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ପୌରାଧ୍ୟକ୍ଷା ସବିତା ସାହୁ ମଞ୍ଚାସୀନ ଥିଲେ ।ଏହା ସହିତ ସମସ୍ତ ଦୁର୍ଗା ପୂଜା କମିଟିର କର୍ମକର୍ତ୍ତା, ଆଖଡ଼ା ସଂଘର କର୍ମକର୍ତ୍ତା, ଶାନ୍ତି କମିଟି ସଦସ୍ୟ ଯୋଗ ଦେଇଥିଲେ ।
ଆସନ୍ତା ଦୁର୍ଗାପୂଜା, ରାବଣ ପୋଡ଼ି ଓ ଭସାଣି ଉତ୍ସବକୁ କିପରି ଶାନ୍ତି ଶୃଙ୍ଖଳାର ସହିତ କରାଯାଇପାରିବ ସେନେଇ ଏଥିରେ ପ୍ରଶାସନ ଓ ପୂଜା କମିଟି କର୍ମକର୍ତ୍ତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।ପୂଜା ପାଖେଇ ଆସୁଥିବା ବେଳେ ରାସ୍ତା ମରାମତି, ଶୃଙ୍ଖଳିତ ଓ ସମୟ ଅନୁସାରେ କିପରି ଭସାଣି ଶୋଭାଯାତ୍ରା ହେବ ସେନେଇ ଗୁରୁତ୍ବାରୋପ କରାଯାଇଥିଲା । ପାର୍ବଣ ବେଳେ ଉଚ୍ଚ କ୍ଷମତା ସମ୍ପନ୍ନ ଭାଇବ୍ରେଟର, ଡିଜେ, ଲେଜର ଓ ସାର୍ପିଂ ଲାଇଟ୍ ବ୍ୟବହାର ଏବଂ ସର୍ବସାଧାରଣରେ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ ଉପରେ ବାରଣ କରାଯାଇଛି । ଭସାଣି ଦିନ ସହରରେ ଭିଡ଼ ନିୟନ୍ତ୍ରଣ ପାଇଁ ବସ ଗୁଡ଼ିକ ଅପରାହ୍ଣ ୩ଟାରୁ ରେମୁଣା ଗୋଲେଇ ଦେଇ ବସଷ୍ଟାଣ୍ଡକୁ ଯିବାକୁ କୁହାଯାଇଛି ।
ଏଥିସହ ପୂଜା ସମୟରେ ଅସାମାଜିକ ବ୍ୟକ୍ତିଙ୍କ ଉପରେ ପୋଲିସର ତୀକ୍ଷ୍ଣ ନଜର ରହିବ ବୋଲି ପୋଲିସ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା । ଆସନ୍ତା ୨୨ ଅକ୍ଟୋବରରେ ଭସାଣି ଉତ୍ସବ ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ସେହିପରି ସମସ୍ତ ପୂଜା କମିଟି ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ପ୍ରତି ମଣ୍ଡପ ପାଖେ ଅଗ୍ନିନିର୍ବାପକ ଯନ୍ତ୍ର ଓ ସିସିଟିଭି କ୍ୟାମେରା ଲଗାଇବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଏହା ସହିତ ସମସ୍ତେ ପୁଲିସ ପ୍ରଶାସନକୁ ସହଯୋଗ କରିବାପାଇଁ ସମସ୍ତେ ସ୍ବେଚ୍ଛାସେବୀଙ୍କ ସହଯୋଗ ନେବାକୁ କୁହାଯାଇଛି ।
ସେହିପରି ଅନୁମତି ପାଇଁ ଉପଜିଲାପାଳଙ୍କ କାର୍ଯ୍ୟଳୟରେ ଆସନ୍ତା ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ସିଙ୍ଗିଲ ୱିଣ୍ଡୋ କ୍ଲିଏରାନ୍ସ ବ୍ୟବସ୍ଥା ହେବ । ଆବଶ୍ୟକ ସ୍ଥଳେ ଏହି ସମୟସୀମାକୁ ବଢ଼ାଯାଇ ପାରିବ ବୋଲି ଉପଜିଲାପାଳ କହିଛନ୍ତି । ମଞ୍ଚାସୀନ ଅତିଥିମାନେ ଆଇନଶୃଙ୍ଖଳା ବଜାୟ ରଖିବା, ଟ୍ରାଫିକ୍ ନିୟନ୍ତ୍ରଣ, ଭିଡ଼ ପରିଚାଳନା, ଶୋଭାଯାତ୍ରାର ସୁପରିଚାଳନା ଓ ଜନସାଧାରଣଙ୍କ ସୁରକ୍ଷା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ପୂଜା କମିଟିଗୁଡ଼ିକୁ ନିର୍ଦ୍ଧାରିତ ନିୟମ ଓ ପ୍ରଶାସନିକ ନିର୍ଦ୍ଦେଶାବଳୀ ପାଳନ କରିବା ସହିତ ଶାନ୍ତି ଓ ଶୃଙ୍ଖଳା ରକ୍ଷାରେ ପ୍ରଶାସନକୁ ସହଯୋଗ କରିବାକୁ ଆହ୍ୱାନ କରାଯାଇଥିଲା ।
ସମସ୍ତଙ୍କ ସହଯୋଗରେ ଚଳିତ ବର୍ଷ ଗଣେଶ ପୂଜା ଭଳି ଦୁର୍ଗାପୂଜାକୁ ମଧ୍ୟ ଶାନ୍ତି ଶୃଙ୍ଖଳାରେ ପାଳନ କରିବା ସହିତ ପୂଜା କମିଟି, ପୋଲିସ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ସମନ୍ୱୟ ରହିଲେ ଦୁର୍ଗା ପୂଜା ସୁରୁଖୁରୁରେ ସମ୍ପନ୍ନ ହୋଇପାରିବ ବୋଲି ମତ ପ୍ରକାଶ ପାଇଥିଲା । ଏଥିରେ ଜିଲାସ୍ତରୀୟ ଅଧିକାରୀ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଜନପ୍ରତିନିଧି, ସାମ୍ବାଦିକ ଓ ସ୍ଥାନୀୟ ବୁଦ୍ଧିଜୀବୀମାନେ ଯୋଗଦେଇ ଦୁର୍ଗା ପୂଜାର ସୁପରିଚାଳନା ନେଇ ଆଲୋଚନା କରିଥିଲେ ।

