Homelocalଦୁର୍ଗାପୂଜା ଭସାଣରେ ଡିଜେ ସମ୍ପୂର୍ଣ୍ଣ ବ୍ୟାନ୍: ନିୟମ ଭାଙ୍ଗିଲେ ପୂଜା କମିଟି ନାଁରେ ରୁଜୁ ହେବ...

ଦୁର୍ଗାପୂଜା ଭସାଣରେ ଡିଜେ ସମ୍ପୂର୍ଣ୍ଣ ବ୍ୟାନ୍: ନିୟମ ଭାଙ୍ଗିଲେ ପୂଜା କମିଟି ନାଁରେ ରୁଜୁ ହେବ ଅପରାଧିକ ମାମଲା, ଗାଡ଼ି ହେବ ଜବତ

ଭୁବନେଶ୍ବର, (୨୧/୧୦) : ଆପ୍ର : ଦୁର୍ଗାପୂଜାର ଶେଷ ପର୍ଯ୍ୟାୟରେ ଏବେ ମା’ଙ୍କ ଭସାଣ ଉତ୍ସବ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି ।

ତେବେ ଶୋଭାଯାତ୍ରା ସମୟରେ ଡିଜେ (DJ)ର ବିକଟାଳ ଶବ୍ଦ ଏବଂ ଏଥିଯୋଗୁଁ ସୃଷ୍ଟି ହେଉଥିବା ଅପ୍ରୀତିକର ପରିସ୍ଥିତିକୁ ରୋକିବା ପାଇଁ କମିଶନରେଟ୍ ପୋଲିସ୍ ଅତ୍ୟନ୍ତ କଠୋର ଆଭିମୁଖ୍ୟ ଗ୍ରହଣ କରିଛି । ଭୁବନେଶ୍ୱର ଓ କଟକରେ ଭସାଣ ସମୟରେ ଡିଜେ ବଜାଇବା ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି । ଭୁବନେଶ୍ୱର ଡିସିପି ସ୍ପଷ୍ଟ ସୂଚନା ଦେଇଛନ୍ତି ଯେ, ଭସାଣ ଶୋଭାଯାତ୍ରାରେ କୌଣସି ପରିସ୍ଥିତିରେ ଡିଜେ ଗାଡ଼ି ପ୍ରବେଶ କରିପାରିବ ନାହିଁ । ଯଦି କୌଣସି ପୂଜା କମିଟି ନିୟମ ଅମାନ୍ୟ କରନ୍ତି, ତେବେ ସମ୍ପୃକ୍ତ ଡିଜେ ଗାଡ଼ିକୁ ଜବତ କରାଯିବା ସହ ପୂଜା କମିଟି କର୍ମକର୍ତ୍ତାଙ୍କ ବିରୋଧରେ ଅପରାଧିକ ମାମଲା (Criminal Case) ରୁଜୁ କରାଯିବ ।

ନିୟମାବଳୀ ଓ ପୂଜା କମିଟିର ସହଯୋଗ

କମିଶନରେଟ୍ ପୋଲିସ୍‌ର ନିର୍ଦ୍ଦେଶ ଅନୁଯାୟୀ ଭସାଣରେ କେବଳ ପାରମ୍ପରିକ ବାଜା ଏବଂ ନିର୍ଦ୍ଧାରିତ ଶବ୍ଦ ସୀମା (Volume Limit) ମଧ୍ୟରେ ସାଉଣ୍ଡ ବକ୍ସ ବ୍ୟବହାର କରାଯାଇପାରିବ। ରାତି ୧୦ଟା ପରେ କୌଣସି ପ୍ରକାର ଉଚ୍ଚଶବ୍ଦ ସମ୍ପନ୍ନ ମ୍ୟୁଜିକ୍ ବଜାଇବା ଉପରେ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ରାତି ୧୨ଟା ସୁଦ୍ଧା ଭସାଣ ଶୋଭାଯାତ୍ରା ଶେଷ କରିବାକୁ ନିଷ୍ପତ୍ତି ହୋଇଛି।

କମିଶନରେଟ୍ ପୋଲିସ୍‌ର ଏହି ନିଷ୍ପତ୍ତିକୁ ବିଭିନ୍ନ ପୂଜା କମିଟି ସ୍ୱାଗତ କରିଛନ୍ତି। ସୁପ୍ରିମକୋର୍ଟ ଓ ସରକାରଙ୍କ ନିୟମକୁ କଡ଼ାକଡ଼ି ଭାବେ ପାଳନ କରି ଡିଜେ ବଦଳରେ ପାରମ୍ପରିକ ଘଣ୍ଟ, ଢୋଲ ଓ ସାଂସ୍କୃତିକ ବାଦ୍ୟଯନ୍ତ୍ର ସହ ଭସାଣି କରାଯିବ ବୋଲି କମିଟିଗୁଡ଼ିକ ସମ୍ମତି ପ୍ରକାଶ କରିଛନ୍ତି।

କାହିଁକି ବିପଜ୍ଜନକ ଡିଜେର ବିକଟାଳ ଶବ୍ଦ ?

ସାଧାରଣତଃ ପୂଜା କମିଟିଗୁଡ଼ିକ ମାତ୍ର ଦୁଇଟି ସାଉଣ୍ଡ ବକ୍ସ ବ୍ୟବହାର ପାଇଁ ଅନୁମତି ନେଇଥାନ୍ତି, କିନ୍ତୁ ଶୋଭାଯାତ୍ରା ଆରମ୍ଭ ହେବା ମାତ୍ରେ ପ୍ରକମ୍ପିତ ହୋଇଉଠେ ସହର। ଏହି ବିକଟାଳ ଶବ୍ଦ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଉପରେ ଗମ୍ଭୀର ପ୍ରଭାବ ପକାଏ । ଦୀର୍ଘସମୟ ଧରି କାନପଡ଼ା ଶବ୍ଦ ଶୁଣିବା ଦ୍ୱାରା କାନର ଭିତର ଭାଗ କ୍ଷତିଗ୍ରସ୍ତ ହୋଇ ସ୍ଥାୟୀ କିମ୍ବା ଅସ୍ଥାୟୀ ବଧିରତା ଦେଖାଦେଇପାରେ ।

ଉଚ୍ଚ ଶବ୍ଦ ପ୍ରଦୂଷଣ ଯୋଗୁଁ ଅନିଦ୍ରା, ଗୁରୁତର ମୁଣ୍ଡବଥା, ମାନସିକ ଚାପ, ଉଚ୍ଚ ରକ୍ତଚାପ (BP) ଏବଂ ହୃଦ୍‌ରୋଗୀଙ୍କ ପାଇଁ ହୃଦଘାତର ଆଶଙ୍କା ବଢ଼ିଯାଏ। ରାତିରେ ଶବ୍ଦ ପ୍ରଦୂଷଣ ଯୋଗୁଁ ପରୀକ୍ଷାର୍ଥୀ, ବୃଦ୍ଧବୃଦ୍ଧା ଏବଂ ନବଜାତ ଶିଶୁଙ୍କ ନିଦ୍ରାରେ ଗୁରୁତର ବ୍ୟାଘାତ ସୃଷ୍ଟି ହୋଇଥାଏ। ଉଲ୍ଲେଖଯୋଗ୍ୟ ଯେ, ଗତ ୨ ବର୍ଷ ମଧ୍ୟରେ ରାଜ୍ୟରେ ଡିଜେର ପ୍ରକମ୍ପନ ଓ ବିକଟାଳ ଶବ୍ଦ ଯୋଗୁଁ ୭ରୁ ଊର୍ଦ୍ଧ୍ୱ ଲୋକ ଆକସ୍ମିକ ଭାବେ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି। ଜନସାଧାରଣଙ୍କ ଜୀବନ ଓ ସୁରକ୍ଷାକୁ ଆଖିଆଗରେ ରଖି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି କଡ଼ା କଟକଣା ଆପଣାଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments